ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରି ଦ୍ୱିତୀୟ ଦିନରେ କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
କାନପୁର ଡ୍ୟାମ୍ ସ୍ପିଲଓ୍ୱେର ପ୍ରାୟ ୧୦୦ ମି ପାଖାପାଖି ଜାତୀୟ ରାଜପଥ ଯାଇଥିବାରୁ ନଦୀକୁ ପାଣି ନିର୍ଗମନ ପାଇଁ ହାଇ ଲେଭେଲ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତ ବର୍ଷ ଅକ୍ଟୋବର ଶେଷସୁଦ୍ଧା ଏହା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।
୨୦୨୩ ମସିହା ଶେଷ ସୁଦ୍ଧା ଡ୍ୟାମ୍ ଓ କେନାଲ କାର୍ଯ୍ୟ ଶେଷକରି ଚାଷ ପାଇଁ ପାଣି ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଜଳସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ୟାମ୍ ନିର୍ମାଣ ଓ ସ୍ଥାନାନ୍ତରିତ ଲୋକମାନଙ୍କର ଥଇଥାନ ସମ୍ବନ୍ଧିତ କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ ପନ୍ଥା ସ୍ଥିର କରାଯାଇଛି।
ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ବାସୁଦେବପୁରଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ କାନପୁର ବହୁମୁଖୀ ଜଳସେଚନ ପ୍ରକଳ୍ପ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ଯୋଡ଼ା ବ୍ଲକ୍ ଅନ୍ତର୍ଗତ ୨୪୪ ଟି ଗ୍ରାମର ୨୯୫୭୮ ହେକ୍ଟର ଜମି ଜଳସେଚିତ ହେବ।
ଏହା ଦ୍ୱାରା ଏହି ସବୁ ଗ୍ରାମର ପ୍ରାୟ ୧୪, ୪୮, ୮୮ ଲୋକ ଉପକୃତ ହେବେ। ମୁଖ୍ୟ ଡ୍ୟାମ୍, ୭୮. ୨୧ କି.ମି. ମୁଖ୍ୟ କେନାଲ, ୭୩. ୭୩ କି.ମି. ଶାଖା କେନାଲ ଏବଂ ୨୯୧.୫୫ କି.ମି. ମାଇନର, ସବମାଇନର କେନାଲ ଆଦି ପ୍ରକଳ୍ପର ମୁଖ୍ୟାଂଶ ।
ଏହି ପ୍ରକଳ୍ପରୁ ମଧ୍ୟ ୪.୨ ମେଗାସ୍ବାଟ୍ ଜଳ ବିଦ୍ୟୁତ ଉତ୍ପାଦନ ହେବ । ପ୍ରକଳ୍ପରେ ସମୁଦାୟ ୨୪୩୮.୨୯ କୋଟି ଟଙ୍କା ବିନିଯୋଗ ହେବ । ତନ୍ମଧ୍ୟରୁ ରାଜ୍ୟ ସରକାର ୧୫୫୫.୨୬ କୋଟି ଏବଂ କେନ୍ଦ୍ର ସରକାର ୮୮୩.୦୩ କୋଟି ଯୋଗାଇବାର ବ୍ୟବସ୍ଥା ହୋଇଛି।
ବର୍ତ୍ତମାନ ସୁଦ୍ଧା ୩୪୬୦ ମିଟର ଲମ୍ବ ଡ୍ୟାମର ପ୍ରାୟ ୮୬ ପ୍ରତିଶତ ନିର୍ମାଣ ସରିଛି ଏବଂ ଅବଶିଷ୍ଟ ୧୪ ପ୍ରତିଶତ ଅଂଶର ନିର୍ମାଣ ଦୃତ ଗତିରେ ଚାଲିଛି ବୋଲି ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।
ସେହିପରି ସ୍ପିଲଓ୍ୱେର ୮୬ ଶତକଡା ଏବଂ କେନାଲର ୭୬ ଶତକଡ଼ା କାମ ସରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ସାପ୍ତାହିକ ଓ ମାସିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରି ତାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପରେ ଶ୍ରୀ ମହାପାତ୍ର କାଞ୍ଜିପାଣି ଘାଟି ଓ ହଦଗଡ଼ ଅଞ୍ଚଳ ପରିଦର୍ଶନ କରି ସେଠାରେ ଇକୋ- ପର୍ଯ୍ୟଟନ ସୁବିଧାର ଅଧିକ ବିକାଶ ସମ୍ଭାବନା ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ କରି ସେଠାରେ ଇକୋ-ପର୍ଯ୍ୟଟନ ସୁବିଧା ସୃଷ୍ଟି ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ୍ ଏଚ୍.ଡି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ପ୍ରକଳ୍ପ ମାଧ୍ୟମରେ ଉକ୍ତ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ରୋଜଗାର ପନ୍ଥା ବୃଦ୍ଧି ପାଇବ ବୋଲି ଶ୍ରୀ ମହାପାତ୍ର କହିଥିଲେ।