ସୁନ୍ଦରଗଡ଼ ଜିଲ୍ଲାରେ ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ‘କୃମିନାଶକ’ ଔଷଧ ବଣ୍ଟନ…

ସୁନ୍ଦରଗଡ଼ : ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ମାଗଣାରେ କୃମିନାଶକ ଔଷଧ ‘ଆଲବୋଣ୍ଡାଜୋଲ୍’ ବଣ୍ଟନ କରାଯାଉଛି। ଶୁକ୍ରବାର ଦିନ ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି ସ୍ତରରେ ପିଲାମାନଙ୍କୁ ଏହି ଔଷଧ ଦିଆଯାଇଛି। ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ପିଲାମାନେ ଏହି ଔଷଧ ଖାଇଛନ୍ତି।

ସୁନ୍ଦରଗଡ଼ସ୍ଥିତ ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ କୃମିନାଶକ ଦିବସ ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏଥିରେ ଉପସ୍ଥିତ ରହି କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

‘‘କୃମି ରୋଗ ଯୋଗୁଁ ପିଲାମାନଙ୍କଠାରେ ରକ୍ତହୀନତା ଭଳି ସମସ୍ୟା ଦେଖାଦିଏ। ସେମାନଙ୍କ ଶାରୀରିକ ବିକାଶରେ ବାଧା ଉପୁଜିଥାଏ। ତେଣୁ ଏସବୁ ସମସ୍ୟାର ସମାଧାନ କରିବା ପାଇଁ ପିଲାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ୫ ଲକ୍ଷ ୧୦ ହଜାରରୁ ଅଧିକ ପିଲାଙ୍କୁ ଏହି ଔଷଧ ଦେବାକୁ ଲକ୍ଷ୍ୟ ରଖାଯାଇଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁ ପିଲାମାନେ ସ୍କୁଲକୁ ଆସୁ ନାହାନ୍ତି ସେମାନଙ୍କ ଘରକୁ ଯାଇ ଆଶା କର୍ମୀମାନେ ଏହି ଔଷଧ ଖୁଆଇବେ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଚାଲିଥିବା ମମତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଉଥିବା କିଶୋରୀ ବାଳିକାମାନଙ୍କୁ ଏହି ଔଷଧ ଦିଆଯାଉଛି। ଯେଉଁମାନେ କୌଣସି କାରଣରୁ ଏହି ଔଷଧ ଖାଇପାରି ନାହାନ୍ତି ସେମାନେ ୧୯ ତାରିଖରେ ଏହା ପାଇପାରିବେ।

ଜିଲ୍ଲାସ୍ତରୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ଅଶ୍ୱିନୀ କୁମାର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଶଙ୍କର ଆଚାର୍ଯ୍ୟ, ସେଣ୍ଟ ମେରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ପାଟ୍ରେସିଆ ଲାକ୍ରାଙ୍କ ସହ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼
ଜିଲ୍ଲା ପ୍ରତିନିଧି

nis-ad
Leave A Reply

Your email address will not be published.