ପ୍ରଧାନମନ୍ତ୍ରୀ ହେବା ଭାବନା ମନରେ ନାହିଁ, କିନ୍ତୁ ବିଜେପି ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବାକୁ କାମ କରିବି : ନୀତିଶ

ପାଟନା: ନାଟକୀୟ ଢଙ୍ଗରେ ବିଜେପିର ହାତ ଛାଡ଼ି ଆରଜେଡି ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ବୟାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଥିବାରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଚର୍ଚ୍ଚା ହେଉଛି। ହେଲେ ଏହି ଚର୍ଚ୍ଚାରେ ଆଜି ପୁଣିଥରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନୀତୀଶ କୁମାର।
ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଭାବନା ତାଙ୍କ ମୁଣ୍ଡରେ ନାହିଁ ବୋଲି ସେ ଆଜି ସ୍ପଷ୍ଟ କରିଛନ୍ତି। କିନ୍ତୁ ବିଜେପି ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ସେ କାମ କରିବେ ବୋଲି କହିଛନ୍ତି।
ଦିଲ୍ଲୀ ଗସ୍ତରେ ଆସିଥିବା ନୀତୀଶ କୁମାରଙ୍କୁ ସାମ୍ବାଦିକମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା ଅଛି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ ସ୍ମିତ ହାସ୍ୟ ଓ ହାତ ଯୋଡ଼ି ମନା କରିଛନ୍ତି।
ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ହେବାର ଆଶା ଏବେ ମୋ ମୁଣ୍ଡରେ ନାହିଁ। ମୁଁ ଏ ବିଷୟରେ କେବେ ହେଲେ ଭାବିନି। ମୁଁ ଆପଣମାନଙ୍କୁ ହାତ ଯୋଡ଼ି କହୁଛି ଯେ ମୋ ମନରେ ସେମିତି କିଛି ବି ନାହିଁ। ଲୋକମାନେ କ’ଣ କହୁଛନ୍ତି, ସେଥିରେ ମୋର କିଛି ବି ଯାଏ ଆସେନାହିଁ। ଯଦି ମୋର ଘନିଷ୍ଠ ଲୋକ ବି ଏ ବିଷୟରେ କହିବେ, ତା’ହେଲେ ବି ଫରକ ପଡ଼ିବ ନାହିଁ। ପ୍ରଧାନମନ୍ତ୍ରୀ ହେବାକୁ କେବେ ହେଲେ ଭାବିନି।”
ସେ ଆହୁରି କହିଛନ୍ତି, “ଆମର ଗୋଟିଏ କାମ ହେଲା ସମସ୍ତଙ୍କ ସେବା କରିବା। ସମସ୍ତଙ୍କ ପାଇଁ କାମ କରିବାକୁ ମୁଁ ଚେଷ୍ଟା କରୁଛି। ସବୁ ବିରୋଧୀ ଦଳ ଏକାଠି ହୋଇ ଆଗକୁ ବଢ଼ିଲେ ବହୁତ ଭଲ ହେବ। ସମସ୍ତେ ଏକାଠି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବୁ। ସେହିପରି ଉତ୍ତମ ସମାଜ ଗଠନ ପାଇଁ କ’ଣ କରାଯାଇ ପାରିବ, ତା’ ଉପରେ ମଧ୍ୟ ଆଲୋଚନା କରିବୁ। ସବୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ମୁଁ ଚାହୁଁଛି। ଏଥିପାଇଁ ଆମେ କାମ ମଧ୍ୟ କରୁଛୁ। ଅନେକ ଲୋକଙ୍କ ଫୋନ ଆସୁଛି। ସବୁ କିଛି କରିବି। ପ୍ରଥମେ ବିହାର କାମ ସରୁ। ତା’ପରେ ଅଲଗା କଥା ବିଚାର କରାଯିବ।”
ବିହାର ମନ୍ତ୍ରିମଣ୍ଡଳ ଗଠନ କେବେ ହେବ ବୋଲି ପ୍ରଶ୍ନର ଉତ୍ତରରେ ନୀତୀଶ କୁମାର କହିଛନ୍ତି, “ସବୁ କିଛି ଶୀଘ୍ର ହେବ। ମୁଁ ତ ଚାହୁଁଛି ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ଏବେ ସମସ୍ତଙ୍କ ସହ ଆଲୋଚନା ଚାଲିଛି। ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେବେ। କିଛି ନ ହେଲେ ବି ଅଗଷ୍ଟ ୧୫ ପରେ ନିଶ୍ଚିତ ମନ୍ତ୍ରିମଣ୍ଡଳ ଗଠନ ହେବ। ଆଗକୁ ଯାହା ବି ହେବ ଆପଣମାନଙ୍କୁ ଜଣାଇ ଦିଆଯିବ।”

nis-ad
Leave A Reply

Your email address will not be published.