ଗଛ ଓ ମଣିଷର ଅନାବିଳ ସମ୍ପର୍କର ସାକ୍ଷୀ ରହିଲା ରାକ୍ଷୀ ପୁନେଇ….


ରାଜ୍ୟର ସର୍ବେଶ୍ରେଷ୍ଠ ବନ ସୁରକ୍ଷା ସମିତିର ଆଉ ଏକ ଅଭିନବ ପଦକ୍ଷେପ….


ଗଛକୁ ରାକ୍ଷୀ ବାନ୍ଧି ଆଜୀବନ ସୁରକ୍ଷାର ଶପଥ ନେଲେ ଝୁରିମାଲ ଗ୍ରାମବାସୀ
ସୁନ୍ଦରଗଡ଼ : ବଣ ପାହାଡ ମଣ୍ଡିତା, ଅରଣ୍ୟ ଶୋଭିତା, ନିର୍ଝରିଣୀର ମଧୁରତା, ସାଗର ଚୁମ୍ବିତା , ତଟିନୀ ସେବିତା ପୃଥିବୀମାତା ପ୍ରକୃତିର ଗନ୍ତାଘର । ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯେପରି ଅନବଦ୍ୟ କରି ତୋଳିଛି , ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟର ମଧ୍ୟ ପରିଚୟ ପ୍ରଦାନ କରିପାରିଛି । ସେହିପରି ଏକ ବହୁମୂଲ୍ୟ ପ୍ରାକୃତିକ ସମ୍ବଳ ହେଉଛି ଆମର ଜଙ୍ଗଲ ସମ୍ପଦ। ଆଜି ମଧ୍ୟ ଦେଶର ଲକ୍ଷ ଲକ୍ଷ ଲୋକ ବିଶେଷତଃ ଆଦିବାସୀମାନେ ଏହି ଜଙ୍ଗଲ ସମ୍ପଦ ଉପରେ ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ବହୁ ମାତ୍ରାରେ ନିର୍ଭର କରୁଛନ୍ତି । କିନ୍ତୁ ସହରୀକରଣ ଓ ଉଗ୍ର ଆଧୁନିକତାର କବଳରେ ଛନ୍ଦି ହୋଇ ମଣିଷ ରିତିମତ ଗଛ କାଟୁଥିବା ବେଳେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆଜି ବି ଆମ ସମାଜରେ କିଛି ସଂଗଠନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଚାଲିଛନ୍ତି। ଏହି ପରି ଏକ ସଂଗଠନ ହେଉଛି ରାଜ୍ୟର ସର୍ବଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବରେ ପୁରସ୍କୃତ ହୋଇଥିବା ସୁନ୍ଦରଗଡ ବନଖଣ୍ଡର

ଝୁରିମାଲ ବନ ସୁରକ୍ଷା ସମିତି। ବିଭିନ୍ନ ଅଭିନବ କାର୍ଯ୍ୟଦ୍ଵାରା ସମଗ୍ର ରାଜ୍ୟରେ ସୁନାମ ରଖିଥିବା ଝୁରିମାଲ ବନ ସୁରକ୍ଷା ସମିତି ଆଜି ଆଉ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଛି। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଝୁରିମାଲ ଗ୍ରାମର ଶତାଧିକ ମହିଳା ବନ ସୁରକ୍ଷା ସମିତି ଦ୍ଵାରା ବିକଶିତ “ଜୟ ବଜରଙ୍ଗ ଫଳ ବଗିଚା” ରେ ଥିବା ଗଛ ମାନଙ୍କୁ ରାକ୍ଷୀ ବାନ୍ଧି ଆଜୀବନ ସୁରକ୍ଷାର ଶପଥ ନେବାର ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ କାର୍ଯ୍ୟକାରୀ ହେବାପରେ ଝୁରିମାଲ ବନ ସୁରକ୍ଷା ସମିତିର ପୁନଃର୍ଗଠନ କରାଯାଇ ବିଭିନ୍ନ ଆୟଭିତ୍ତିକ କାର୍ଯ୍ୟକ୍ରମ ଦ୍ଵାରା ଲୋକଙ୍କ ଜୀବିକାର ସୁଦୃଢୀକରଣ, ନୂତନ ବନୀକରଣ, ଲଘୁ ବନଜାତ ଦ୍ରବ୍ଯର ସାମୁହିକ ବଜାର ବ୍ୟବସ୍ଥା, ଶ୍ରମଦାନ ମାଧ୍ୟମରେ ସାମୁହିକ ସମ୍ପତ୍ତି ସୃଷ୍ଟି, ସମିତିର ନିଜସ୍ଵ ୱେବସାଇଟ ପ୍ରସ୍ତୁତି ଦ୍ଵାରା ଗ୍ରାମବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଝୁରିମାଲ ବନ ସୁରକ୍ଷା ସମିତି। ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାଙ୍କ ନିରନ୍ତର ଉଦ୍ୟମ ତଥା ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକ ଓ ସୁନ୍ଦରଗଡ ଖଣ୍ଡୀୟ ପରିଚାଳନା ଏକକର ସହଯୋଗ ଦ୍ଵାରା ଗ୍ରାମର ୧.୬୫ ଏକର ପରିମିତ ଜମିରେ ଥିବା ଜୟ ବଜରଙ୍ଗ ଫଳ ବଗିଚାରେ ଗ୍ରାମର ସମସ୍ତ ୧୬୮ ପରିବାର ଗୋଟିଏ ଲେଖାଏଁ ଫଳ ଗଛ ରୋପଣ କରି ଓ ଗଛକୁ ରାକ୍ଷୀ ବାନ୍ଧି ତିନି ବର୍ଷ ଧରି ରାକ୍ଷୀ ପୂର୍ଣ୍ଣମୀ ପାଳନ କରୁଛନ୍ତି। ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଗ୍ରାମର ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ଫଳ ବଗିଚାରେ ରାକ୍ଷୀ ପୂର୍ଣ୍ଣମୀ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉଜ୍ଜଳପୁର ବନାଞ୍ଚଳର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ, ଉନ୍ନୟନ ଅଧିକାରୀ ମନୋରଞ୍ଜନ ମଲ୍ଲିକ, ଗ୍ରାମର ହେମାନନ୍ଦ ସେଠ, ସୁବ୍ରତ ପଟେଲ, ଉଦିତ ପଟେଲ, ରାଧେଶ୍ୟାମ ପଟେଲ, ବେଦମତୀ ସେଠ, ଇନ୍ଦୁମତି ପଟେଲ, ସୁବର୍ଣ୍ଣଲତା ପଟେଲ, ରେଖା ନାଏକ, ରୋଜି ପଟେଲ ପ୍ରମୁଖ ଆୟୋଜନ କରିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.