ଖୋର୍ଦ୍ଧାରେ ୧ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତ୍ୟକ ଦିନ ପୋଲିସ ରେଡ କରି ଜିଲ୍ଲାର କୋଉଠୁ ନା କୋଉଠୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଟାଉନ ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ କରିଛି ପୋଲିସ।

ଟାଉନ ଥାନା ଅନ୍ତର୍ଗତ ସାମନ୍ତପୁର ୟୁପି ସ୍କୁଲ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଖବର ପାଇଥିଲେ। ବିଳମ୍ବ ନକରି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦.୫୫ ଗ୍ରାମ ବ୍ରାଉନ ସୁଗାର ଏବଂ ୨ ଗୋଟି ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ସ୍ଵପ୍ନେଶ୍ଵର ସାହିର ଲିଟୁ ବାରିକ (୩୦), ଶାଗୁଆନ ବଗିଚା ଅଞ୍ଚଳର ମିଟନ ଗୁରୁ (୨୨) ଏବଂ ସାମନ୍ତରାୟପୁର ଅଞ୍ଚଳର ସଦାଶିବ ନାୟକ (୨୧)। ଜବତ ବ୍ରାଉନ ସୁଗାର ମୂଲ୍ୟ ଏକ ଲକ୍ଷ ତାଙ୍କ ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୩୮୦/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଏସଆଇ ପଦ୍ମଲୋଚନ ବେହେରା ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଉକ୍ତ ମାମଲାର ଅତିରିକ୍ତ ଆଇଆଇସି ଚନ୍ଦ୍ରଶେଖର ଜେନା ତଦନ୍ତ କରୁଛନ୍ତି।

ସୂଚନା ଥାଉ କି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହେବାର ଏକ ମାସ ମଧ୍ୟରେ ଜିଲ୍ଲାରେ ଏଗାର ଗୋଟି ବ୍ରାଉନ ସୁଗାର ମାମଲା ସାମ୍ନାକୁ ଆସିଛି ଏବଂ ୩୦୦ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ ହୋଇଛି।

nis-ad
Leave A Reply

Your email address will not be published.