ପ୍ରଶାସନର ଛତ୍ରଛାୟା ତଳେ ଢାବା,ରେଷ୍ଟୁରାଣ୍ଟରେ ମଦର ମୁକ୍ତ ବଜାର : ପ୍ରଶାସନ ନିଦା ବିଷ୍ଣୁ…

ଗୋପାଳପୁର :- ମଦ୍ୟପାନରେ ବଡ଼ ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା। ଅର୍ଥାତ୍ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟର ଲୋକସଂଖ୍ୟା ତୁଳନାରେ ଅଧିକ ମଦ୍ୟପାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(NHFS)-5 ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ଆଶ୍ଚର୍ଯ୍ୟ କଲାଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏପରିକି ଜାତୀୟ ସ୍ତରରେ ୧୫ ବର୍ଷରୁ ଅଧିକ ୧୮ ପ୍ରତିଶତ ପୁରୁଷ ମଦ ପିଉଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ପୁରୁଷ ପିଉଛନ୍ତି। ଓଡ଼ିଶାର ମହିଳା ମଧ୍ୟ ଏଥିରେ ପଛରେ ନାହାନ୍ତି। NHFS-5 ପାଇଁ ୬ ଲକ୍ଷ ୩୬ ହଜାର ୬୯୯ ପରିବାରକୁ ସାମିଲ କରାଯାଇଥିବା ବେଳେ ଓଡ଼ିଶାରେ ୨୬ ହଜାର ୪୭୬ ପରିବାର ଏଥିରେ ସାମିଲ ହୋଇଥିଲା। ୧୫ ବର୍ଷରୁ ଅଧିକ ବୟସର ବୟସର ଲୋକଙ୍କ ଠାରୁ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା। ଜାତୀୟସ୍ତରରେ ୧.୬ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ୪.୩ ପ୍ରତିଶତ ରହିଛି। ତେବେ ଓଡ଼ିଶାରେ ଉଭୟ ମହିଳା ଓ ପୁରୁଷ ଜାତୀୟ ହାରକୁ ପଛରେ ପକାଇ ଦେଇଛନ୍ତି। ରାଜ୍ୟରେ ସହରାଞ୍ଚଳରେ ୨୨.୭ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି।

ଏତେ ସତ୍ତ୍ଵେ କେବଳ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଠାରୁ ଗୋଲାନ୍ଥରା କଥା ଯଦି ବିଚାରକୁ ନିଆଯାଏ ୧୬ନଂ ଜାତୀୟ ରାଜପଥ ଏହି ଦୁଇ ସ୍ଥାନ ମଧ୍ୟରେ ପ୍ରାୟ ୩୮କି.ମି. ପର୍ଯ୍ୟନ୍ତ ବ୍ୟାପିଛି । ଆପାତତଃ ୨୪/୨୫ଟି ଢାବା କେବଳ ଉକ୍ତ ଦୁଇ ସ୍ଥାନ ମଧ୍ୟରେ ଥିବାବେଳେ ଜାତୀୟ ରାଜପଥ ନିକଟରେ ୧୨/୧୫ଟି ଢାବା ରହିଛି। ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ଯାତ୍ରୀ,ପରିବାର ସହ ଗ୍ରସ୍ତ କରୁଥିବା ଯାତ୍ରୀ,ଗାଡ଼ି ଚାଳକ କେବଳ ଏହି ହୋଟେଲ୍ ଗୁଡ଼ିକ ଉପରେ ଖାଦ୍ୟ ଆହରଣ ନିମନ୍ତେ ନିର୍ଭର କରନ୍ତି । ବିଡ଼ମ୍ବନାର ବିଷୟ ଯେ,ପ୍ରତ୍ୟେକ ହୋଟେଲ,ଢାବାରେ ଅକୁଣ୍ଠ ଚିତ୍ତରେ ଦିନ ରାତି ଅହରହ ବିକ୍ରି ହୁଏ ମଦ । ନା ଅଛି ଜାତୀୟ ଦିବସ ଗୁଡ଼ିକ ପାଳନ ଅବସରରେ ଛୁଟିର ଭୟ ନା ଥାଏ ନିର୍ବାଚନ ଆଚରଣ ବିଧି ସକାଶେ ବନ୍ଦ ର ଭୟ । କାହା ପୃଷ୍ଠ ପୋଷକତାରେ ଏଭଳି ଧର୍ମକୁ ଆଖିଠାର ଚାଲିଛି ତାହା ନିଶ୍ଚିତ ଭାବେ ତଦନ୍ତସାପେକ୍ଷ । ତେବେ ବୁଝି ହୁଏ ଯେ, ଢାବା,ରେଷ୍ଟୁରାଣ୍ଟ ମାଲିକଙ୍କ ସରକାର ଓ ପ୍ରଶାସନ ସହ ରହିଥିବା ମଧୁଚନ୍ଦ୍ରିକା ଜରିଆରେ ବେଆଇନ୍ ଭାବେ ମଦ ବିକ୍ରି ଦୀର୍ଘ ବର୍ଷ ଧରି ଚାଲି ଆସୁଛି । ସେପଟେ ଦେଶୀ ମଦ ନିଜେ ପ୍ରସ୍ତୁତ କରି ଘରୋଇ ବ୍ୟବହାର ପାଇଁ ରଖୁଥିବା ନିରୀହ ଆଦିବାସୀ ଜନସାଧାରଣଙ୍କ ପ୍ରତି ପ୍ରଶାସନ ଜୁଲୁମ୍ କରିବାରେ ମଶଗୁଲ ଥିବା ଦେଖିଲେ ପ୍ରତୀତ ହୁଏ ଓଡ଼ିଆର ଏକ ଲୋକ କଥା,”ମାର୍ ମାର୍ ଭଣ୍ଡାରିଆକୁ ମାର୍” । ତେଣେ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ଅଧବେଶନରେ ସାର୍ବଜନୀନ ହୋଇଥିବା କଥାକୁ ଯଦି ବିଚାରକୁ ନିଆଯାଏ ଶ୍ରୀ ମୋହନ ମାଝୀ କହିଛନ୍ତି ୨୦୨୧-୨୨ ଆର୍ଥିକ ବର୍ଷରେ ୭,୬୦୦ କୋଟିର ରାଜସ୍ବ ଅବକାରୀ ବିଭାଗ ତରଫରୁ ହସ୍ତଗତ ହୋଇଥିବା ସ୍ଥଳେ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ଏହି ବିଭାଗରୁ ୮,୫୦୦ କୋଟିର ରାଜସ୍ୱ ଆଦାୟର ବ୍ଲୁ-ପ୍ରିଣ୍ଟ ତିଆରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିପ୍ଳବୀ କବି ରବି ସିଂ ଙ୍କ “ମଦ ବନ୍ଦନା” କବିତାର କିୟଦଂଶ ବେଶ୍ ଉପଯୋଗୀ ମନେ ହୁଏ,

“ମଦଧନ୍ୟା ହୋଇଅଛି ନଅବର୍ଷ ପରେ ଏ ଉତ୍କଳ,
ମଦବନ୍ୟା ଆସେ ମାଡ଼ି ଢ଼କଢ଼କ ସ୍ରୋତ କଳକଳ ।
‘ମଦର ନିଗମ’ ଆହା କି ସୁନ୍ଦର ଦିଶଇ ଉତ୍କଳେ !
ସର୍କାର କୁହନ୍ତି ପିଅ ପ୍ରଜା ମୋର ଯେତେ ପ୍ରୀୟଶଳେ !
ନଥିଲେ ନଥାଉ ଖାଦ୍ୟ,ପିଅ ସବୁ ପେଟପୂରା ମଦ,
ଭାଟି ତାଟି ମେଲା କରି ପଢ଼ ବସି ଦୋ’ ଅକ୍ଷରୀ-ବେଦ ।”

ତେବେ ଦେଖିବାକୁ ବାକି ରହିଲା ସାଧାରଣ ଜନତାଙ୍କ ଜୀବନକୁ ବିପନ୍ନ କରି ଏହି ବିକାଶମ୍ମୁଖୀ ଓଡ଼ିଶାର ମୁକୁଟ ବିହୀନ ୨୨ ବର୍ଷର ନିରବଚ୍ଛିନ୍ନ ସରକାର କେତେ ଦିନ ପର୍ଯ୍ୟନ୍ତ ଢାବା,ହୋଟେଲ,ରେଷ୍ଟୁରାଣ୍ଟ ମାଲିକ ମାନଙ୍କ ଲାଭ ଓ ଲୋଭ ଚରିତାର୍ଥ କରିବା ନିମନ୍ତେ ନୀରବଦ୍ରଷ୍ଟା ରହିବେ !! ନା ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସମୟ ସାପେକ୍ଷ..!!

nis-ad
Leave A Reply

Your email address will not be published.