ଜଣେ ମାତ୍ର ପ୍ରାଣୀ ଚିକିତ୍ସକଙ୍କ ଭରସାରେ ୨୫ ଗୋଟି ଗ୍ରାମ ପଞ୍ଚାୟତର ଚାଷୀ

ଦାରିଙ୍ଗବାଡ଼ି, ୬/୮, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳବାସୀ ପ୍ରାଣୀଧନ ସୁରକ୍ଷା ନେଇ ଚିନ୍ତାରେ। ଏକବର୍ଷ ହେବ ଜଣେ ଡ଼ାକ୍ତରରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ। ଦାରିଙ୍ଗବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାର ବୃହତ ବ୍ଲକ ଅଟେ। ୨୫ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ଏହି ବ୍ଲକ ଗଠିତ। ପ୍ରାଣୀ ସଂପଦର ସୁରକ୍ଷା ଦୃଷ୍ଟିରୁ ବ୍ଲକ ମହକୁମାରେ ଓ ବ୍ରାହ୍ମଣୀଗାଁରେ ପ୍ରାଣୀ ଚିକିତ୍ସାଳୟ ରହିଛି। ହେଲେ ବ୍ଲକ ମହକୁମା ପ୍ରାଣୀ ଚିକିତ୍ସାଳୟ ଉପରେ ୧୭ ଗୋଟି ଗ୍ରାମ ପଞ୍ଚାୟତ ବାସୀ ନିର୍ଭର କରୁଥିବା ବେଳେ ବ୍ରାହ୍ମଣୀଗାଁ ପ୍ରାଣୀ ଚିକିତ୍ସାଳୟ ଉପରେ ୮ଗୋଟି ଗ୍ରାମ ପଞ୍ଚାୟତ ବାସୀ ନିର୍ଭରଶୀଳ।
ଦାରିଙ୍ଗବାଡି ବ୍ଲକ ମହକୁମା ପ୍ରାଣୀ ଚିକିତ୍ସାଳୟରେ ୩ଜଣ ପ୍ରାଣୀ ଚିକିତ୍ସକ ରହିବା ବଦଳରେ ଜଣେ ଚିକିତ୍ସକରେ ଚାଲିଛି ବ୍ଲକ ପ୍ରାଣୀ ଚିକିତ୍ସାଳୟ। ଏହି ପ୍ରାଣୀ ଚିକିତ୍ସାଳୟ ଅନ୍ତର୍ଗତ ୧୭ ଗ୍ରାମ ପଞ୍ଚାୟତକୁ ନେଇଁ ୯ଗୋଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି। ହେଲେ ୯ଜଣ ପ୍ରାଣୀ ସହାୟକ ବଦଳରେ ୫ ଜଣ କର୍ମଚାରୀରେ କାମ ଚାଲିଛି। ସେଇଭଳି ବ୍ରାହ୍ମଣୀଗାଁ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି। ବ୍ରାହ୍ମଣୀଗାଁ ପ୍ରାଣୀ ଚିକିତ୍ସାଳୟ ଉପରେ ୮ ଗୋଟି ଗ୍ରାମ ପଞ୍ଚାୟତ ବାସୀ ନିର୍ଭର କରନ୍ତି। ଏହି ୮ ପଞ୍ଚାୟତ ବାସୀଙ୍କ ସୁବିଧା ପାଇଁ ୪ ଟି ପ୍ରାଣୀ ସହାୟକ କେନ୍ଦ୍ର ଯଥା କାଟିଙ୍ଗିଆ, ବ୍ରାହ୍ମଣୀଗାଁ, ଗଦାପୁର ଓ ହାତିମୁଣ୍ଡା ପଞ୍ଚାୟତ ମହକୁମା ରହିଛି। ହେଲେ ବ୍ରାହ୍ମଣୀଗାଁ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତରତ ନାହାନ୍ତି ଏବଂ ୪ଜଣ ପ୍ରାଣୀ ସହାୟକ ବଦଳରେ ଗଦାପୁର ଉପକେନ୍ଦ୍ରର ଜଣେ ମାତ୍ର ପ୍ରାଣୀ ସହାୟକରେ କାମଚଳା ଭାବେ ପ୍ରାଣୀ ସମ୍ପଦର ସେବା ଚାଲିଛି। ବର୍ତ୍ତମାନ ଚାଷର ସମୟ ଚିକିତ୍ସା ଅଭାବରେ ଗୋରୁ ହଳଟେ କୌଣସି କାରଣରୁ ମରିଗଲେ ଚାଷୀଟିଏ ମରିବା ସଙ୍ଗେ ସମାନ ବୋଲି ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଆଲୋଚନା ଜଣାପଡିଛି। ହେଲେ ଜଣେ ମାତ୍ର ପ୍ରାଣୀ ସହାୟକ କିଭଳି ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ପଞ୍ଚାୟତର ପ୍ରାଣୀ ସମ୍ପଦର ସେବା ଯୋଗାଇ ପାରିବେ ବୋଲି ଜନ ସାଧାରଣଙ୍କ ମୁଣ୍ଡରେ ଭାଲେଣି ପଡିଛି। ବର୍ତ୍ତମାନ ଚାଷ ସମୟ ସହିତ ବର୍ଷା ଝଡ଼ିର ସମୟ। ମୁଖ୍ୟ କରି ଗୋରୁ ଗାଈ, ଛେଳି ମେଣ୍ଢାର ଚିକତ୍ସା ପାଇଁ ଚାଷୀକୁଳ ଚିନ୍ତାରେ ପଡିଥିବା ପ୍ରକାଶ ପାଇଛି। ରାଜ୍ୟ ସରକାର ପ୍ରାଣୀ ସମ୍ପଦର ବିକାଶ ଓ ସୁରକ୍ଷା ପାଇଁ ବହୁ ବ୍ୟବସ୍ଥା କରିଥିବା କହୁ ଥିବା ବେଳେ, ପ୍ରାଣୀ ଡାକ୍ତର ଓ ପ୍ରାଣୀ ସହାୟକ ଅଭାବିରେ ବ୍ଲକ ଅଞ୍ଚଳ ବାସୀ ରହିଛନ୍ତି। ଏଣୁ ଜିଲା ପାଳ ଆନ୍ତରିକତାର ସହିତ ବ୍ଲକ ଅଞ୍ଚଳର ଚାଷୀକୁଳଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ଯଥା ଶୀଘ୍ର ପଦକ୍ଷେପ ନେବାକୁ ବ୍ଲକ ଅଞ୍ଚଳବାସୀ ପକ୍ଷରୁ ଦାବୀ ହେଉଛି।

nis-ad
Leave A Reply

Your email address will not be published.