ଧରା ପଡ଼ିଯିବା ଭୟରେ ବିଷ ପିଇଦେଲା ବ୍ଲାକମେଲର୍‌ !

ବାରିପଦା : ନାବାଳିକାଙ୍କୁ ପ୍ରେମ କଲେ। ତାଙ୍କ ସହିତ ଦିନ କାଟିଲେ। ଆଉ ତା’ପରେ ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଲେ ଓ ଭିଡିଓ ରେକଡିଂ କରି ଭାଇରାଲ୍‌ କରିଦେଲେ।। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ପ୍ରବର ଓ ତାଙ୍କର ତିନି ସହଯୋଗୀ ଚମ୍ପଟ ମାରିଲେ। ହେଲେ ଧରା ପଡ଼ିଯିବା ଭୟରେ ଅନ୍ୟତମ ବ୍ଲାକମେଲର୍‌ ବିଷ ପିଇଦେଲା। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ମୋରଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିକାଶ ରାଉତ ଭଲ ପାଉଥିଲା। ନାବାଳିକା ଜଣକ ମଧ୍ୟ ବିକାଶଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବେ ବୋଲି କଥା ଦେଇଥିଲେ। ଏହା ସୁଯୋଗ ନେଇ ନାବାଳିକାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଅଶ୍ଲୀଳ ଭିଡିଓ ରେକଡିଂ କରିଦେଇଥିଲା ବିକାଶ। ତେବେ ଦୀର୍ଘ ଦିନର ପ୍ରେମ ବିବାହର ରୂପ ନେବା ପୂର୍ବରୁ ନାବାଳିକାଙ୍କ ପରିବାର ବିରୋଧ କରିଥିଲେ। ଯେଉଁଥିପାଇଁ ବିକାଶଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲେ ତାଙ୍କ ପ୍ରେମିକା।

ପ୍ରେମିକାଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ବିକାଶ ବିଚଳିତ ହୋଇପଡ଼ି ଥିଲା। ଆଉ ପାଖରେ ରଖିଥିବା ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଅଶ୍ଲୀଳ ଭିଡିଓକୁ ଭାଇରାଲ୍‌ କରିଦେବାର ଧମକ ଦେଇଥିଲା। ଏହାକୁ ନେଇ ନାବାଳିକାଙ୍କୁ ବାରମ୍ୱାର ବ୍ଲାକ୍‌ମେଲ୍‌ କରୁଥିଲା। ସେଥିପାଇଁ ବିଭିନ୍ନ କିସ୍ତିରେ ନାବାଳିକା ତାଙ୍କୁ ୭୦ ହଜାରରୁ ଅଧିକ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଏହା ସତ୍ତ୍ୱେ ବିକାଶ ଓ ତାଙ୍କ ସହଯୋଗୀମାନେ ନାବାଳିକାଙ୍କର ସେହି ଅଶ୍ଲୀଳ ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ୍‌ କରିଦେଇଥିଲେ।

ସୋଶାଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ ଦେଖି ନାବାଳିକା ଜଣକ ଗତ ୩୧ ତାରିଖରେ ମୋରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିକାଶ ଓ ତାଙ୍କର ଅନ୍ୟ ତିନି ଜଣ ସାଙ୍ଗଙ୍କ ନାଁରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାମଲା ଥାନାରେ ପହଞ୍ଚିଥିବା ଦେଖି ବିକାଶ ଓ ତାଙ୍କର ତିନି ବନ୍ଧୁ ଫେରାର ହୋଇଯାଇଥିଲେ। ହେଲେ ପୁଲିସ୍‌ ହାବୁଡରେ ପଡ଼ି ଯାଇଥିଲା ଅନ୍ୟତମ ସାଙ୍ଗ ଦେବାଶିଷ ବାରିକ। ପୁଲିସ ତାଙ୍କୁ ବାରମ୍ୱାର ଥାନାକୁ ଡାକି ଜେରା କରୁଥିଲା।

ଗିରଫ ହେବା ଭୟରେ ମଙ୍ଗଳବାର ଦେବାଶିଷ ବିଷ ପିଇଦେଇଥିଲା। ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡାକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦେବାଶିଷ ହେଉଛନ୍ତି ଜଣେ ଏଏସ୍‌ଆଇଙ୍କ ପୁଅ।

nis-ad
Leave A Reply

Your email address will not be published.