ରାଇସିନା ହିଲ୍‍ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଧାୟକ ଓ ମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ବିଧାୟକ ଓ ବିଧାୟିକାମାନେ ଆଜି ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଯାଇଥିବା ଏହି ଦଳରେ ବାଚସ୍ପତି, ଉପବାଚସ୍ପତିଙ୍କ ସହ ପ୍ରମୁଖ ଦଳର ୨୬ ଜଣ ବିଧାୟକ ସାମିଲ ଥିଲେ ।

ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋଚିତ୍ର ଓ ଓଡିଆ କଳାକୃତିର ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବିଧାୟକମାନେ ଗୁରୁବାର ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।

ବାଚସ୍ପତିଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଦେବୀ ମିଶ୍ର, ସୁଦାମ ମାରାଣ୍ଡି, ଶାରଦା ପ୍ରସାଦ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର ସାହୁ, ରାଜ କିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାଏକ ଏବଂ କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଗସ୍ତ କରିଛନ୍ତି । କୋରୋନା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣରୁ ଉପବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶେଷ ମୂହୁର୍ତ୍ତରେ ଏହି ଗସ୍ତରୁ ବାଦ୍‍ ପଡ଼ିଥିଲେ ।

ବିଧାନସଭା ସଚିବାଳୟ ପକ୍ଷରୁ ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଦୀନକୃଷ୍ଣ କର, ଓଏସ୍‍ଡି ବିଜୟ କୁମାର ସାହୁ ଏବଂ ସେକ୍ସନ ଅଫିସର ବିଭୂତି ଭୂଷଣ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ପ୍ରତିନିଧି ଦଳର ରହଣି ପାଇଁ ଓଡ଼ିଶା ଭବନରେ ବ୍ୟବସ୍ଥା କରାଯାଇଛି । ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ବହନ କରାଯାଇଛି।

nis-ad
Leave A Reply

Your email address will not be published.