ବକେୟା ବିଦ୍ୟୁତ ବିଲ ପୈଠ ମେସେଜ କରି ଲୁଟିନେଲେ ୩୮ ହଜାର

କୋରାପୁଟ: ବିଦ୍ୟୁତ ବିଲ ବାକି ଅଛି । ସନ୍ଧ୍ୟା ସୁଦ୍ଧା ବକେୟା ବିଲ ପୈଠ ନକଲେ ରାତିରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯିବ । ଗତ କିଛିଦିନ ଧରି ଇ-ମେଲ ଓ ୱାଟ୍ସଆପରେ ଅନେକଙ୍କୁ ଏମିତି ଏକ ମେସେଜ ଆସୁଛି । ଖାଲି ସେତିକି ନୁହେଁ ଏହି ମେସେଜ ଠକେଇର ଶିକାର ହୋଇଛନ୍ତି ଜଣେ ସରକାରୀ କର୍ମଚାରୀ ।

ଘଟଣା ମୁତାବକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାଜେଶ କୁମାର ନାୟକଙ୍କ ଫୋନକୁ ଏକ ମେସେଜ ଆସିଥିଲା । ଯେଉଁଥିରେ କାର୍ଯ୍ୟାଳୟର ବକେୟା ବିଦ୍ୟୁତ ଶୁଳ୍କ ପୈଠ ନ କଲେ ରାତି ସୁଦ୍ଧା ବିଜୁଳି କାଟିଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ବିଦ୍ୟୁତ ସଂଯୋଗ କାଟିଦେଲେ କାର୍ଯ୍ୟରେ ବାଧାପ୍ରାପ୍ତ ହେବା ଆଶଙ୍କା କରି ରାଜେଶ ବିଲ ବାନ୍ଧିବା ପାଇଁ ପ୍ରସ୍ତୁତ ହେଲେ । ମେସେଜରେ ଦିଆଯାଇଥିବା ନମ୍ବରକୁ ଫୋନ କଲେ । ଅପର ପଟୁ ହିନ୍ଦୀ ଭାଷାରେ ନିଜ ଏଟିଏମ୍ କାର୍ଡରୁ ମାତ୍ର ଏକ ଟଙ୍କା ରିଚାର୍ଜ କଲେ ବିଲ ଦେୟର ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ରାଜେଶ ଜଣାଇଛନ୍ତି । ଓଡ଼ିଶାରେ ଟାଟା କମ୍ପାନୀ ବିଦ୍ୟୁତ ବିଲ ସଂଗ୍ରହ କରୁଥିବା ଯୋଗୁଁ ତାଙ୍କର କୌଣସି ଅଧିକାରୀ ହିନ୍ଦୀରେ କଥା ହେଉଥାଇ ପାରନ୍ତି ଭାବି ନିଜ ଏଟିଏମ କାର୍ଡରୁ ଏକ ଟଙ୍କା ଉକ୍ତ ନମ୍ବରକୁ ପଠାଇଥିଲେ । ଏହାପରେ ଆଖି ପିଛୁଳାକେ ଆକାଉଣ୍ଟରୁ ସମସ୍ତ 38 ହଜାର ଟଙ୍କା ଗାଏବ ହୋଇଯାଇଥିଲା ।

ରାଜେଶ ତୁରନ୍ତ କୋରାପୁଟ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ପଚାରିଥିଲେ । କିନ୍ତୁ ସେଠାରୁ କୌଣସି ଫୋନ ଯାଇନଥିବା ଜାଣିବା ପରେ ଠକେଇର ଶିକାର ହୋଇଥିବା ସେ ଜାଣିପାରିଥିଲେ । ରାଜେଶ କହିଛନ୍ତି,” ସାଇବର ଠକ ଜଣକ ଏଟିଏମ କାର୍ଡରୁ ୧ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲା । ଏହାପରେ ୫ ମିନିଟ ମଧ୍ୟରେ ୪ଟି ଇନଷ୍ଟଲ ମେଣ୍ଟରେ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଉଭାନ ହୋଇଯାଇଥିଲା ।” ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ସହ ସାଇବର କ୍ରାଇମ୍ ସେଲର ସହଯୋଗ ଲୋଡ଼ିଛନ୍ତି ରାଜେଶ ।

nis-ad
Leave A Reply

Your email address will not be published.