ବାସିଖାଦ୍ୟ ଖାଇ ଜଣେ ମୃତ, ୫ ଅସୁସ୍ଥ

ସୋର : ଭୋଜିରେ ବଳି ପଡ଼ିଥିବା ଖାଦ୍ୟକୁ ରାତିରେ ଗରମ କରି ଖାଇଥିଲେ। ଆଉ ତା’ପରେ ଜଣେ ପରେ ଜଣେ କରି ଏମିତି ଗୋଟିଏ ପରିବାରରେ ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସମସ୍ତେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇ କଟକରେ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏପରି ଖବର ଆସିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁରୁ।

ଗତ ରବିବାର ଦିନ କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁର ଯୁଧିଷ୍ଠିର ଦାସଙ୍କ ପକ୍କା ଘର ତିଆରି ପାଇଁ ବୋରିଂ କରାଯାଇଥିଲା। ସେଥିପାଇଁ କାମ କରୁଥିବା ଶ୍ରମକ ଓ ପରିବାର ଲୋକଙ୍କ ପାଇଁ ଏକତ୍ର ରୋଷେଇ ହୋଇଥିଲା। ଦିନରେ ସମସ୍ତେ ଖାଇଥିଲେ। ଯାହା ବଳି ଯାଇଥିଲା, ସେହି ଖାଦ୍ୟକୁ ରାତିରେ ଗରମ କରି ପରିବାରର ସମସ୍ତେ ଖାଇଥିଲେ। ଖାଦ୍ୟ ଖାଇବା ପରେ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ରାତିରେ ସମସ୍ତଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସାମାନ୍ୟ ସୁସ୍ଥ ହୋଇଥିଲେ। ଏହା ପରେ ସେମାନେ ସୋମବାର ସକାଳେ ଘରକୁ ଫେରିଥିଲେ।

ଘରେ ପହଞ୍ଚିବା ପରେ ପୁଣି ଥରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନେ ଆଉ ଥରେ ସିମୁଳିଆ ମେଡିକାଲକୁ ଆସିଥିଲେ। ତେବେ ସେଠାରେ ୬ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁଧିଷ୍ଠିରଙ୍କ ମାଆ ଲକ୍ଷ୍ମୀ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଥିଲା। ଚିକିତ୍ସା ପରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଆସିନଥିଲା। ପରେ ସମସ୍ତଙ୍କୁ କଟକରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ରାତିରେ ଗରମ କରି ଖାଇଥିବା ଖାଦ୍ୟ ବିଷାକ୍ତ ହୋଇଥିବା ଅନୁମାନ କରାଯାଉଛି।

ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ୩ ଜଣିଆ ମେଡିକାଲ୍‌ ଟିମ୍‌। ଝାଡ଼ାବାନ୍ତି ନେଇ ପରିବାର ଲୋକଙ୍କୁ ମେଡିକାଲ୍‌ ଟିମ୍‌ ପଚରାଉଚରା କରୁଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.