ଚୋର ଭାବି ଚୁଟି ବେପାରୀଙ୍କୁ ନିର୍ଧୁମ ମାଡ଼, ଅଚେତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସିତ

ହିଂଜିଳିକାଟୁ, ୨ା୮: ପଡ଼ୋଶୀ ପଶ୍ଚିମବଙ୍ଗରୁ ଦଳେ ବୁଲା ବେପାରୀ ଆସି ଅଂଚଳରେ ଚୁଟି ବଦଳରେ ରସ ବାସନ ବଦଳ ବେପାର କରୁଥିବା ବେଳେ ମଙ୍ଗଳବାର ଉକ୍ତ ବୁଲା ବେପାରୀଙ୍କୁ ଶେରଗଡ଼ ଥାନା ଗୋବିନ୍ଦପୁରରେ କିଛି ଗ୍ରାମ ଲୋକ ଚୋର ଭାବି ନିର୍ଧୁମ ମାଡ଼ ମାରିଛନ୍ତି । ଅନ୍ୟ ପକ୍ଷରେ ମାଡ଼ ଖାଇ ଅଚେତ ହୋଇଯାଇଥିବା ବ୍ୟକ୍ତି ଜଣକ ଚେତା ଫେରିଲା ପରେ ସାହାର୍ଯ୍ୟ ପାଇଁ ସେମାନଙ୍କ ବନ୍ଧୁଙ୍କୁ ଫୋନରେ ନିବେଦନ କରିଥିଲେ । କିନ୍ତୁ ସଠିକ ଭାବେ ଉକ୍ତ ଅଂଚଳକୁ ଚିହ୍ନଟ ହୋଇ ନପାରିବାରୁ ଆହତଙ୍କୁ ଦୀର୍ଘ ସମୟ ପରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆହତ ଜଣକ ହେଲେ ଶେଖ କାନୁ (୨୩) । ସେ ପଶ୍ଚିମ ବଙ୍ଗ ନଦିଆ ଜିଲା କାଳିଗଂଜ ଅଂଚଳର ବାସିନ୍ଦା ଅଟନ୍ତି । ତାଙ୍କୁ ମୁମୂର୍ଷ ଅବସ୍ଥାରେ ତାଙ୍କୁ ବନ୍ଧୁ ମହମ୍ମଦ ଫାରୁକ ଶେଖ ଓ ଅନ୍ୟମାନେ ବୁରୁପୋଡ଼ା ଓ ମାରୁଡ଼ି ମଧ୍ୟସ୍ଥ ଏକ ସ୍ଥାନରୁ ଉଦ୍ଧାର କରିଥିଲେ ।

ଘଟଣାରୁ ପ୍ରକାଶ ଯେ, ପଶ୍ଚିମ ବଙ୍ଗ ନଦିଆ ଜିଲା କାଳିଗଂଜ ଅଂଚଳରୁ କିଛି ବେପାରୀ ହିଂଜିଳି ଥାନା ସାରୁଛକ ସାଇ ନଗରରେ ଏକ ଭଡ଼ା ଘରେ ରୁହନ୍ତି । ସେମାନେ ବିଭିନ୍ନ ଅଂଚଳ ବୁଲି ଚୁଟି ସଂଗ୍ରହ କରି ବଦଳରେ ରସ ବାସନ କୁସନ ପ୍ରଦାନ କରନ୍ତି । ମଙ୍ଗଳବାର ଆହତ ଶେଖ କାନୁ ଶେରଗଡ଼ ବ୍ଳକ ଗୋବିନ୍ଦପୁର ଗ୍ରାମକୁ ବେପାର ପାଇଁ ଯାଇଥିଲେ । ସେଠାରେ କିଛି ଲୋକ ତାଙ୍କୁ ଚୋର ବୋଲି ସନ୍ଦେହ କରି ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଚେତା ହରାଇଥିଲେ । ଚେତା ଫେରିବା ପରେ ସେ ଆହତ ହୋଇ ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଓ ତାଙ୍କୁ ଉଦ୍ଧାର କରିବାକୁ ବନ୍ଧୁ ମହମ୍ମଦ ଫାରୁକ ଶେଖଙ୍କୁ ମୋବାଇଲରେ ଜଣାଇଥିଲେ । କିନ୍ତୁ ଉକ୍ତ ସ୍ଥାନ ସମ୍ପର୍କରେ ଭୌଗଳିକ ସଠିକ ତଥ୍ୟ ଜଣାଇ ପାରିଲେ ନାହିଁ । ଫଳରେ ତାଙ୍କ ବନ୍ଧୁମାନେ ଘଟଣା ନେଇ ହିଂଜିଳିଥାନାରେ ଜଣାଇଥିଲେ । ତେବେ ଉକ୍ତ ଅଂଚଳଟି ଶେରଗଡ଼ ଥାନା ଅଧୀନରେ ଆସୁଥିବାରୁ ଥାନା ଏରିଆକୁ ନେଇ ସେଠାରେ ପୋଲିସ ପକ୍ଷରୁ ସାହାର୍ଯ୍ୟ ମିଳିଲା ନାହିଁ । ହିଂଜିଳି ଥାନାରୁ ସେମାନେ ପୁଣି ଶେରଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶେରଗଡ଼ ପୋଲିସ ଫୋନରେ ଗୋବିନ୍ଦପୁର ଗ୍ରାମର କିଛି ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲେ । କିନ୍ତୁ ଘଟଣାକୁ ଗୁରୁତ୍ୱ ଦେଇନଥିଲେ ବୋଲି ବନ୍ଧୁ ମହମ୍ମଦ ଫାରୁକ ଶେଖ କହିଛନ୍ତି । ପୋଲିସ ଠାରୁ କୌଣସି ସାହାର୍ଯ୍ୟ ମିଳିଲା ନାହିଁ । ସେଠାରୁ ନିରାଶ ହୋଇ ଫେରିବା ବେଳେ କୌଣସିି ସୂତ୍ରରୁ ଖବର ପାଇ ବୁରୁପୋଡ଼ା ଓ ମାରୁଡ଼ି ରାସ୍ତାର ଏକ ସ୍ଥାନରୁ ଶେଖ କାନୁଙ୍କୁ ତାଙ୍କର ବନ୍ଧୁମାନେ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ହିଂଜିଳିକାଟୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଖବର ଲେଖା ସୁଦ୍ଧା ଶେଖ କାନୁଙ୍କ ଚେତା ଫେରିନଥିବା ଓ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ଚେତା ଫେରିବା ପରେ ଘଟଣା ନେଇ ଅଧିକ ତଥ୍ୟ ମିଳିବ ।

nis-ad
Leave A Reply

Your email address will not be published.