ରାଉରକେଲା: ସୌରଶକ୍ତିକୁ ପ୍ରୋତ୍ସାହନ ଲାଗି ସୋଲାର ପ୍ୟାନେଲ୍‌ ବସାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଦିଆଯିବ ଫାଇନାନ୍ସ ସୁବିଧା…

ରାଉରକେଲା,: ରାଉରକେଲା ସ୍ମାର୍ଟ ସିଟିକୁ ସୌରଶକ୍ତି ହବ୍‌ରେ ପରିଣତ କରିବା ଲକ୍ଷ୍ୟ ନେଇ ରାଉରକେଲା ମହାନଗର ନିଗମ ଓ କୋଏଲ ଫ୍ରେସର ମିଳିତ ସହଯୋଗରେ ‘ସୋଲାରାଇଜେସନ୍ ରାଉରକେଲା’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସହରର ଜନସାଧାରଣ କିପରି ଅଧିକରୁ ଅଧିକ ସୌରଶକ୍ତିର ବ୍ୟବହାର କରିବେ, ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ସୋଲାର ପ୍ୟାନେଲ ବସାଇବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନଗୁଡ଼ିକୁ ଫାଇନାନ୍ସ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଏ ସମ୍ପର୍କରେ ଅବଗତ କରିବା ପାଇଁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଶନିବାର ଦିନ ଏକ ସ୍ୱତନ୍ତ୍ର ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା, ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ବ୍ୟବସାୟିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲେ। ଟାଟା ପାୱାର ସୋଲାର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଟେକନୋଲଜି (ଏନ୍‌ଆଇଟି)ର ବିଶେଷଜ୍ଞମାନେ ଏଥିରେ ଯୋଗଦେଇ ସୌରଶକ୍ତିର ବ୍ୟବହାର, ସୋଲାର ପ୍ୟାନେଲ ସ୍ଥାପନ ଏବଂ ଏଥିପାଇଁ ଥିବା ଫାଇନାନ୍ସ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସୋଲାରାଇଜେସନ ରାଉରକେଲା’ ପ୍ରକଳ୍ପରେ ସହଯୋଗ କରିବା ଏବଂ ସହରକୁ ସ୍ୱଚ୍ଛ, ସୁରକ୍ଷିତ ରଖିବା ନିମନ୍ତେ ସୌରଶକ୍ତି ବ୍ୟବହାର କରିବାକୁ ସହରବାସୀଙ୍କୁ ଆହ୍ବାନ ଦେଇଥିଲେ।

ସୋଲାରାଇଜେସନ ପ୍ରକଳ୍ପ ଅଧୀନରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ଏବଂ ଟାଟା ପାୱାର ସୋଲାର ବିଶେଷଜ୍ଞଙ୍କୁ ନେଇ ଏକ ସୌରଶକ୍ତି ସେଲ୍‌ ଗଠନ କରାଯାଇଛି। ଯେଉଁମାନେ ସୋଲାର ପ୍ୟାନେଲ୍ ବସାଇବା ଲାଗି ଆଗ୍ରହୀ, ଏହି ସେଲ୍ ସେମାନଙ୍କୁ ଫାଇନାନ୍ସ ସୁବିଧା କରାଇବା ସହ ପ୍ୟାନେଲ ସ୍ଥାପନ ପାଇଁ ସହାୟତା ପ୍ରଦାନ କରୁଛି।

ରାଉରକେଲା ସହରରେ ସୌରଶକ୍ତିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ କୋଠା ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯିବ। ଫଳରେ ପ୍ରଦୂଷଣ କମିବ ଓ ବିଭିନ୍ନ ଶକ୍ତି ସଞ୍ଚୟ ହେବ। ଏହାଦ୍ୱାରା ରାଉରକେଲାକୁ ଗ୍ରୀନ ଏନର୍ଜି ହବ୍‌ ଭାବେ ପରିଣତ କରିବାର ଯେଉଁ ଲକ୍ଷ୍ୟ ରହିଛି, ତାହା ପୂରଣ ହୋଇପାରିବ।
ବିଶ୍ବରଂଜନ ହୋତା
ସୁନ୍ଦରଗଡ଼
ଜିଲ୍ଲା ପ୍ରତିନିଧି

nis-ad
Leave A Reply

Your email address will not be published.