ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସଂପତ୍ତି ଆଟାଚ୍। କଟକର ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଓ ନୋଇଡ଼ାରେ ଥିବା ଏକ ମିଡିଆ ଗ୍ରୁପର ସଂପତ୍ତି ମିଶି ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅଣ ବ୍ୟାଙ୍କିଂ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଏହି ସଂପତ୍ତି ଆଟାଚ୍ କରାଯାଇଥିବା ଇଡି କହିଛି। ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ବିନା ଅନୁମତିରେ ସଂସ୍ଥା ଖୋଲି ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଥିଲା।
ଏ ବାବଦରେ ପ୍ରଭାତ ବିଶ୍ୱାଳ କହିଛନ୍ତି, ମୋର ଏତେ ଟଙ୍କାର ସମ୍ପତ୍ତି ନାହିଁ। ଘର କରିବାକୁ ୧ କୋଟି ୧୫ ଲକ୍ଷ ଟଙ୍କା ଋଣ ଆଣିଥିଲି। ଏହା ଦିଆଯାଇନି। ଗୋଟିଏ ବ୍ୟାଙ୍କରେ ୨୫ ଲକ୍ଷ ଟଙ୍କା ଥିଲା। ଜାମିନ୍ ବେଳେ ୨୫ ଲକ୍ଷ ଡିପୋଜିଟ୍ କରିବାକୁ କୁହାଯାଇଥିଲା। ବୋଧହୁଏ ବ୍ୟାଙ୍କରେ ଥିବା ସେହି ୨୫ ଲକ୍ଷ ଟଙ୍କା ଆଟାଚ୍ କରିଛି ଇଡି। ଏହା ଏକ ଜମିଜମା ସଂପର୍କିତ ମାମଲା।
ଏନେଇ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ କହିଛନ୍ତି, ସେ ୩.୯୨ କୋଟି ଟଙ୍କା ବିଷୟରେ କିଛି ଜାଣନ୍ତିନି। ତାଙ୍କ ସ୍ୱାମୀଙ୍କ ନାମରେ ଥିବା ଏକ ଜମିକୁ ସିସୋରକୁ ବିକ୍ରି କରିବାକୁ ସେ ଚାହିଁଥିଲେ। ଏବାଦରେ କମ୍ପାନୀ ଠାରୁ ଥରେ ୧୦ ଲକ୍ଷ ଓ ଆଉ ଥରେ ୧୫ ଲକ୍ଷ ଟଙ୍କା ଆଣିଥିଲେ। ଏହି ଟଙ୍କା ଏକ ବ୍ୟାଙ୍କରେ ଥିଲା। ପରେ ଏହି ଟଙ୍କାକୁ ସିସୋରକୁ ଫେରାଇ ମଧ୍ୟ ଦେଇଥିଲୁ। ସିସୋର ମାମଲାରେ ତାଙ୍କ ସ୍ୱାମୀ ଗିରଫ ହେବା ଓ ଟଙ୍କା ଫେରାଇବା ବିଷୟରେ ସମସ୍ତେ ଜାଣନ୍ତି। ତେବେ ଏବେ ଇଡି ତିନିକୋଟି ଟଙ୍କା ଜବତ କରିବା ସେ ଜାଣନ୍ତିନି, ଏହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି।
ତେବେ ଇଡି ନୋଟିସ୍‌ରୁ ଜଣାପଡ଼ିଛି, ପ୍ରଭାତଙ୍କ ଜବତ ସ୍ଥାବର ସମ୍ପତ୍ତି ଭିତରେ କଟକ ଏସ୍‌ବିଆଇ ବ୍ରାଞ୍ଚରେ ଥିବା ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ଉତ୍ତରପ୍ରଦେଶର ନୋଏଡ଼ା ଗୌତମ ବୁଦ୍ଧ ନଗରରେ ଥିବା ଏମ୍/ଏସ୍ ମିଡ଼ିଆ ଗୁରୁ କନ୍‌ସଲଟାଣ୍ଟ ପ୍ରାଇଭେଟ ଲିମିଟେଡ୍‌ ନାମରେ ଅସ୍ଥାବର ସମ୍ପତ୍ତି ରହିଛି।

nis-ad
Leave A Reply

Your email address will not be published.