ପୁଟିନଙ୍କ ସ୍ୱାସ୍ଥାବସ୍ଥା ସାଂଘାତିକ!

ମସ୍କୋ: ରକ୍ତ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅବସ୍ଥା ହଠାତ୍‌ ଗୁରୁତର ହୋଇ ପଡ଼ିଛି। ତାଙ୍କର ମୁଣ୍ଡ ବୁଲାଇବା ସହ ସେ ପ୍ରବଳ ବାନ୍ତି କରିଛନ୍ତି। ଏହି ଖବର ପାଇ ୨ ଜଣିଆ ଡାକ୍ତରୀ ଟିମ୍‌ ରାଷ୍ଟ୍ରପତି ଭବନର କ୍ୱାର୍ଟର୍ସକୁ ଯାଇ ତାଙ୍କର ଚିକିତ୍ସା କରିଥିଲେ ବୋଲି ଆଜି ରିପୋର୍ଟ ପ୍ରକାଶ ପାଇଛି।
ରୁଷିଆନ ଟେଲିଗ୍ରାମ ଚ୍ୟାନେଲ ଜେନେରାଲ ଏସଭିଆର ସୂତ୍ରରୁ ତଥ୍ୟ ହାସଲ କରି ଇଣ୍ଡିପେଣ୍ଡଣ୍ଟ ପକ୍ଷରୁ ଗୋଟିଏ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଶନିବାର ପୁଟିନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକ ପଡ଼ିଥିଲେ। ଏହି ସମୟରେ ତାଙ୍କର ଚିକିତ୍ସା କରୁଥିବା ପାରାମେଡିକ ଟିମ୍‌ ଅତିରିକ୍ତ ଡାକ୍ତରମାନଙ୍କୁ ଡାକିବାକୁ ବାଧ୍ୟ ହୋଇଥିଲେ।
ଡାକ୍ତରୀ ଟିମ୍‌ ଦୀର୍ଘ ୩ ଘଣ୍ଟା କାଳ ପୁଟିନଙ୍କ ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ଏହାପରେ ଡାକ୍ତରମାନେ ସେଠାରୁ ବାହାରିଥିଲେ। ରାତି ୧ଟା ବେଳେ ହିଁ ପୁଟିନ ପ୍ରବଳ ବାନ୍ତି କରିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଛି। ସେ ରକ୍ତ କର୍କଟ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବାରୁ ବିଭିନ୍ନ ବୈଠକରେ ଯୋଗ ଦେଇ ପାରୁ ନାହାନ୍ତି ବୋଲି ଦାବି ହୋଇଛି। ହେଲେ ଏହାକୁ ରୁଷ ସରକାର ବାରମ୍ବାର ଖଣ୍ଡନ କରି ଆସୁଛନ୍ତି।

nis-ad
Leave A Reply

Your email address will not be published.