ଜୁବୈର ମାମଲାରେ ୟୁପି ପୁଲିସ ଉପରେ ବିରକ୍ତ ହେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଅଲଟ୍‌ ନ୍ୟୁଜ୍‌ର ସହପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଆଶ୍ୱସ୍ଥି ମିଳିଛି। ଉତ୍ତରପ୍ରଦେଶରେ ତାଙ୍କ ବିରୋଧରେ ଆଉ ୫ଟି ହୋଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଜୁବୈରଙ୍କ ପକ୍ଷରୁ ହୋଇ‌ଥିବା ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାଳୟ। ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ୟୁପି ପୁଲିସ ଜୁବୈରଙ୍କ ନାମରେ ୫ଟି ମାମଲା ରୁଜୁ କରିଥିଲା। ହେଲେ ଏହି ଏତଲାକୁ ରଦ୍ଦ କରିବାକୁ ଜୁବୈର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ଜୁବୈରଙ୍କ ପକ୍ଷରୁ ହୋଇଥିବା ମାମଲାର ସବିଶେଷ ଶୁଣାଣି ପାଇଁ କୋର୍ଟ ଜୁଲାଇ ୨୦କୁ ଧାର୍ଯ୍ୟ କରିଛନ୍ତି। ତାପୂର୍ବରୁ କୌଣସି କାର୍ଯ୍ୟାନୁଷ୍ଠାନକୁ ବାରଣ କରିଛନ୍ତି କୋର୍ଟ। ଜୁବୈରଙ୍କ ପ୍ରସଙ୍ଗ ନେଇ କୋର୍ଟ ହତଚକିତ ହୋଇଛନ୍ତି। ତାଙ୍କ ବିରୋଧରେ ଲଗାତାର ଏତଲାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଜୁବୈରଙ୍କୁ ଜାଣିଶୁଣି ହଇରାଣ କରିବା ଉଦ୍ଦେଶ୍ୟରେ ତାଙ୍କ ନାମରେ ବାରମ୍ବାର ଏତଲା ରୁଜ୍ଜୁ କରାଯାଉ ଥିବା କୋର୍ଟ କହଇନ୍ତି। ଏହି ମାମଲାରେ ତୁରନ୍ତ ଶୁଣାଣି ପାଇଁ ଜୁଲାଇ ୨୦ ଲିଷ୍ଟିଂ କରିବାକୁ କୋର୍ଟ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଭଳି କାର୍ଯ୍ୟାନୁଷ୍ଠାନକୁ ଅତି ନିଷ୍ଠୁର ବୋଲି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏଏସ ବୋପାନ୍ନାଙ୍କ ବେଞ୍ଚ କହିଛନ୍ତି। କୋର୍ଟ କହିଛନ୍ତି ଯେ, ସୀତାରପୁର ମାଲାରେ ଜୁବୈର ଜାମିନ ପାଇଛନ୍ତି । ପରେ ଦିଲ୍ଲୀ ମାମଲାରେ ମଧ୍ୟ ଜାମିନ ପାଇଛନ୍ତି। ଠିକ୍‌ ସେହି ସମୟରେ ତାଙ୍କ ନାମରେ ଅନ୍ୟ ଏତଲା ରୁଜୁ ହେଉଛି। କିନ୍ତୁ ଏହାରି ଭିତରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜୁବୈରଙ୍କ ବିରୋଧରେ ୫ଟି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ସୂଚନା ଅନୁଯାୟୀ, ପୂର୍ବରୁ ଗିରଫ ହୋଇଥିବା ଅଲଟ ନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ୨୭ ତାରିଖରେ ମହମ୍ମଦଙ୍କୁ ଗିରଫ କରାଯାଇଥିବା ବେଳେ ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନ ମିଳିଥିଲେ ବି ସେ ଜେଲ୍‌ରୁ ବାହାରିପାରିବେ ନାହିଁ। ତାଙ୍କୁ ଦିଲ୍ଲୀ ପୁଲିସର ବିଚାର ବିଭାଗୀୟ ହାଜତରେ ରଖାଯାଛି। ସୂଚନାଯୋଗ୍ୟ, ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ବିବାଦୀୟ ବୟାନ ସଂପର୍କରେ ପ୍ରଥମେ ଟ୍ୱିଟ୍‌ କରିଥିଲେ ମହମ୍ମଦ ଜୁବୈର। ଏହା ପରେ ତାଙ୍କୁ ଗତ ୨୭ ତାରିଖରେ ଗିରଫ କରାଯାଇଥିଲା।

nis-ad
Leave A Reply

Your email address will not be published.