ଭାରତରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁ ଚିହ୍ନଟ

ଦିସପୁର: ମଙ୍କିପକ୍ସ ପରେ ଭାରତରେ ଚହ୍ନଟ ହେଲା ଆଫ୍ରିକାନ ସ୍ୱାଇନ୍‌ ଫ୍ଲୁ। ନିକଟରେ କେରଳରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ଦେଶରେ ଆତଙ୍କ ଖେଳିଯାଇଥିଲା। ଏବେ ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି। ଦିବ୍ରୁଗଡ଼ ଭୋଗାଲି ପଥର ଗାଁରେ ଏକ ଘୁଷୁରୀ ଏହି ଭାଇରସ୍‌ରେ ପଜିଟିଭ୍ ଚିହ୍ନଟ ହୋଇଛି। ଏନେଇ ସେଠାକାର ପ୍ରାଣୀଧନ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ଦିବ୍ରୁଗଡ଼ରେ ଯେଉଁଠାରୁ ଘୁଷୁରୀ ଠାରେ ଏହି ଭାଇରସ ଚିହ୍ନଟ ହୋଇଛି ସେହିଠାରୁ ଏକ କିମି ପରିଧିରେ ଯେତେ ଘୁଷୁରୀ ଥିଲେ ସମସ୍ତଙ୍କୁ ମାରି ପୋତି ଦିଆଯାଇଛି। ଏଥିସହ ପୂରା ଅଞ୍ଚଳକୁ ସାନିଟାଇଜ କରାଯାଇଥିବା ସେଠାକାର ସ୍ୱାସ୍ଥ୍ୟ ବିଭାଗ କହିଛି। ଏହି ରୋଗ ଅତ୍ୟଧିକ ସଂକ୍ରାମକ ଏବଂ ଏହାର କୌଣସି ଟିକା ନ ଥିବାରୁ ସରକାର ଘୁଷୁରୀ ମାଂସ ଖାଇବା ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।
ଏପ୍ରିଲ ମାସରେ ତ୍ରିପୁରା ସେପାହିଜାଲା ଜିଲ୍ଲାରେ ସରକାରୀ ଦେବୀପୁରା ଫାର୍ମ ଓ ତା’ ଆଖପାଖ ଅଞ୍ଚଳରେ ମଧ୍ୟ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଳୁ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ପ୍ରାଣୀଧନ ଚିକିତ୍ସା ବିଭାଗ ୧୬୫ଟି ଘୁଷୁରୀକୁ ମାରି ପୋତି ଦେଇଥିଲା। ଦେବୀପୁରା ଫାର୍ମରେ ଏଏସ୍‌ଏଫ୍‌ ଭୂତାଣୁ ଚିହ୍ନଟ ହେବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା।
ଆସାମ, ମିଜୋରାମ, ସିକ୍କିମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ବିହାରରେ ଆଫ୍ରିକାନ୍‌ ସ୍ୱାଇନ୍ ଫ୍ଲୁ (ASF) ମାମଲା ରିପୋର୍ଟ ହୋଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଫ୍ରିକାନ ସ୍ୱାଇନ୍ ଫ୍ଲୁ ଘୁଷୁରୀଙ୍କ ପାଇଁ ମାରାତ୍ମକ ହୋଇପାରେ। ତେବେ ଏହା ମଣିଷକୁ ସଂକ୍ରମିତ କରେ ନାହିଁ। କିନ୍ତୁ ଘୁଷୁରୀଙ୍କ ପାଇଁ ଏହା ପ୍ରାଣଘାତକ। ସରକାରୀ ତଥ୍ୟ ଅନୁସାରେ, ୨୦୨୦ରୁ ୨୦୨୨ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ୧,୧୮୧ ଘୁଷୁରୀଙ୍କୁ ହତ୍ୟା କରାଯିବା ସହ ରାଜ୍ୟରେ ପାଖାପାଖି ୪୦,୧୫୯ ଘୁଷୁରୀ ଏହି ଜ୍ୱରରେ ପ୍ରାଣ ହରାଇଛନ୍ତି।

nis-ad
Leave A Reply

Your email address will not be published.