5T ବିଫଳ : ଶିଶୁଙ୍କ ପ୍ରାଥମିକ ଶିକ୍ଷାରେ ପ୍ରତିବନ୍ଧକ ସାଜିଛି ବିଦ୍ୟାଳୟ ଭିତ୍ତିଭୂମି

ବାଲିମେଳା(୧୬/୦୭) : ୨୦୦୧ ମସିହାରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ୍ ନଂ ୧୨ ରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ବିଦ୍ୟାଳୟରେ ୧୧୬ (ଏକ ଶହ ଷୋହଳ ଜଣ ଛାତ୍ରଛାତ୍ରୀ)ପ୍ରଥମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ।ସେମାନଙ୍କ ମଧ୍ୟରୁ ୪୯ ଜଣ ଛାତ୍ର ଥିବାବେଳେ ୬୭ ଛାତ୍ରୀ ଅଛନ୍ତି । ଗତ ୩ ବର୍ଷ ହେବ ଏହି ବିଦ୍ୟାଳୟର ଛାତରୁ ପାଣି ଗଳୁଛି ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର କଥିତ ଓ ଲିଖିତ ପତ୍ରାଳାପ ହୋଇଥିବା ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ପ୍ରକାଶ କରିଥିବା ସତ୍ତ୍ୱେ ଏଯାବତ୍ କୌଣସି କାର୍ଯ୍ୟପନ୍ଥା ଏଯାବତ୍ ଗ୍ରହଣ ହୋଇ ପାରିନାହିଁ ।

ବିଦ୍ୟାଳୟ ପରିଶରରେ ପିଇବା ପାଣି ନିମନ୍ତେ ନଳକୂପ କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ବ୍ୟବସ୍ଥା ୧୨-ଜୁଲାଇ-୨୦୨୨ ପର୍ଯ୍ୟନ୍ତ ହୋଇନଥିଲା, ଯାହା ଫଳରେ ପିଲାମାନେ ଓ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇ କରୁଥିବା ମା, ମାଉସି ମାନେ ପ୍ରାୟ ୧ କିମି ଦୂରକୁ ଯିବା ନିମନ୍ତେ ବାଧ୍ୟ ହେଉଥିଲେ । ଯାହା ବିଭିନ୍ନ ଖବର କାଗଜରେ ପ୍ରସାରିତ ହେବା ପରେ ତଥା ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ପ୍ରସାରଣ ପରେ ନୁତନ ଭାବେ ଗତକାଲି ସଂଯୋଗ ହୋଇପାରିଛି ଓ ପିଲାମାନଙ୍କ ଜଳ କଷ୍ଟ ଦୂର ହୋଇଛି l ପରିଶ୍ରା ଓ ଶୌଚ ନିମନ୍ତେ ବିଶେଷତଃ ଝିଅ ପିଲାମାନେ ପାଣି ଅଭାବରୁ ଅଧିକାଂଶ ସମୟ ଶୌଚାଳୟ ବ୍ୟବହାର କରିପାରୁ ନାହାନ୍ତି । ଗ୍ରିଡ୍ ନିକଟରେ ବିଦ୍ୟାଳୟଟି ଥିବାଯୋଗୁଁ ଅନ୍ୟସ୍ଥାନ ଠାରୁ ଏଠାର ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରି ଅଧିକ ରହୁଛି କିନ୍ତୁ ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ଥିବା ଅନ୍ୟ ବିଦ୍ୟାଳୟ ମାନଙ୍କରେ ବିଦ୍ୟୁତ୍ ବ୍ୟବସ୍ଥା ଥିବା ଓ ଗରମରୁ ରକ୍ଷା ନିମନ୍ତେ ଫେନ୍ (ପଙ୍ଖା) ଚାଲୁଥିବାବେଳେ ଆମ ଏହି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ l ପିଲାମାନେ ଖେଳିବାପାଇଁ ଯେଉଁ ଖୋଲାସ୍ଥାନ ରହିଛି ତାହା ବଡବଡ ପଥର ରହିବା ଯୋଗୁଁ ଖେଳିବା ସମ୍ଭବ ହେଉନାହିଁ ଏଣୁ ଏହାକୁ ସମତଳ କରିବାସହ ଏହାର ଚାରିପାଖ ପକ୍କା କାନ୍ଥ ବ୍ୟବସ୍ଥା କଲେ ଭବିଷ୍ୟତରେ ଅନ୍ୟମାନଙ୍କଦ୍ୱାରା ଜବରଦଖଲରୁ ମୁକ୍ତ ରହିବ ଓ ପିଲାମାନଙ୍କ ଶାରରୀକ ଦକ୍ଷତା ବୃଦ୍ଧି ରେ ସହାୟ ହୋଇପାରନ୍ତା l ବିଡ଼ମ୍ବନାର ବିଷୟ ଏହି କି ଜଳବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ନିକଟରେ, ମୁଖ୍ୟ ରାସ୍ତା କଡରେ ଏହି ବିଦ୍ୟାଳୟ ଥିବା ସତ୍ତ୍ୱେ କୋଟି କୋଟି ଟଙ୍କା ଜିଲ୍ଲାପାଳଙ୍କ ହେପାଜତରେ ରହୁଥିବା ସତ୍ତ୍ୱେ ଏଥି ପ୍ରତି କୌଣସି ଅଧିକାରୀଙ୍କ ଦୃଷ୍ଟି ପଡିନାହିଁ l ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ଶିକ୍ଷା ଗ୍ରହଣର ଇଚ୍ଛା ପିଲାଙ୍କୁ ବାରଣ୍ଡାରେ ବସି ପଢିବାକୁ ବାଧ୍ୟ କରୁଛି l

ସି.ଆର୍.ସି.ସି. ମହୋଦୟ ମଧ୍ୟ ପ୍ରତି ମାସରେ ବିଦ୍ୟାଳୟ ଆସି ଏ ସମସ୍ତ ଅସୁବିଧା ଦେଖୁଛନ୍ତି, କିନ୍ତୁ କୌଣସି ଆଶୁ ସମାଧାନ କରୁଥିବା ମନେ ହେଉ ନାହିଁ l ବର୍ତ୍ତମାନ ପ୍ରାୟ ୭ ଦିନ ଧରି ନିରବିଚ୍ଛିନ୍ନ ବର୍ଷା ହେବା ଫଳରେ ବିଦ୍ୟାଳୟ ଘରଟି ଅତି ଦୁର୍ବଳ ଆଡକୁ ଆଗେଇ ଯାଉଥିବା ମନେହେଉଛି, ଯେପରି କୌଣସି ମୁହୁର୍ତ୍ତରେ ବିଦ୍ୟାଳୟ ଘରଟି ଭୁଷୁଡି ପଡିବ କୁହାଯାଇ ନପାରେ l ତେଣେ 5T ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରଣକୁ ନେଇ ସରକାର ଦିଣ୍ଡିମ ପିଟୁଥିବା ବେଳେ ବିଦ୍ୟାଳୟର ଏଭଳି ଅବସ୍ଥା ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବିଦ୍ୟାଳୟ ଗୃହ ମରାମତି ହୋଇନଥିବା ପର୍ଯ୍ୟନ୍ତ ବିଦ୍ୟାର୍ଥି ମାନଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ମରାମତି ନହେବା ପର୍ଯ୍ୟନ୍ତ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ବ୍ୟବସ୍ଥା କରାଯାଉ ଏବଂ କେଉଁ କାରଣରୁ ଦାୟିତ୍ୱରେ ଥିବା ଅଧିକାରୀ ଏକ ବର୍ଷଧରି ଏଭଳି ଚରମ ଅବହେଳା କରିଛନ୍ତି, ତାହାର ନିରପେକ୍ଷ ତଦନ୍ତ କରିବା ସହ ସେମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ସହ ବିଦ୍ୟାଳୟ ଗୃହ ମରାମତି ଅବା ନୂତନ ଗୃହ ନିର୍ମାଣ ନିମନ୍ତେ ଯଥା ସମ୍ଭବ ଶୀଘ୍ର ବ୍ୟବସ୍ଥା କଲେ କୁନିକୁନି ବିଦ୍ୟାର୍ଥିଙ୍କ ଶିକ୍ଷାଗ୍ରହଣରେ ବିଶେଷ ଫଳପ୍ରଦ ହେବ ବୋଲି ୱାର୍ଡ୍ ବାସୀ ଓ ୱାର୍ଡ୍ ମେମ୍ବର୍ ତଥା ସହଯୋଗ ଟିମ୍ ର ସଦସ୍ୟ ମାନେ ଦାବୀ କରିଛନ୍ତି l ଏହି ପତ୍ରର ଏକ ନକଲ ସି.ଆର୍.ସି.ସି.,ବାଲିମେଳା/ବି.ଆର୍.ସି.ସି,କୋରୁକୁଣ୍ଡା / ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋରୁକୁଣ୍ଡା / ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋରୁକୁଣ୍ଡା / ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି / ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଅଭିଯାନ, ମାଲକାନଗିରି / ଜିଲ୍ଲା ମଙ୍ଗଳ ଅଧିକାରୀ, ମଙ୍ଗଳ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜନ ପ୍ରତିନିଧି ଚେଆରମ୍ୟାନ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଲିମେଳା / ବିଧାନ ସଭା ସଦସ୍ୟ, ଚିତ୍ରକୋଣ୍ଡା/ସଭାପତି,ଜିଲ୍ଲାପରିଷଦ, ମାଲକାନଗିରି / ଲୋକସଭା ସଦସ୍ୟ, ନବରଙ୍ଗପୁରଙ୍କ ନିକଟକୁ ସୂଚନା ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଡାକ ଯୋଗେ ପ୍ରେରଣ କରିଛନ୍ତି l ସର୍ବୋପରି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଓ.ଏଚ.ପି.ସି. ତରଫରୁ ସି.ଏସ୍.ଆର୍. ଅଧୀନରେ ଦିଆଯାଉଥିବା ପାଣ୍ଠି କେଉଁ ପରିପ୍ରେକ୍ଷିରେ ବାଟମାରଣ ହେଇଛି ତାହା ନିଶ୍ଚିତ ରୂପେ ତଦନ୍ତସାପେକ୍ଷ |

nis-ad
Leave A Reply

Your email address will not be published.