ମୋ ବନ୍ଧୁ ବିକିକୁ ହତ୍ୟା କରାଯିବା ପରେ ଜୀବନ ବଞ୍ଚାଇବାକୁ ୨କୋଟି ଅଫର କରିଥିଲା ମୁସେୱାଲା: ଗୋଲ୍ଡି ବ୍ରାର

ଚଣ୍ଡୀଗଡ଼: ପଞ୍ଜାବର ପ୍ରସିଦ୍ଧ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀ ଏବଂ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ପଚରାଉଚରା କରୁଛି ପୁଲିସ। ହେଲେ ଏପର୍ଯ୍ୟନ୍ତ କାନାଡାରେ ରହି ମୁସେୱାଲାଙ୍କ ହତ୍ୟାର ଷଡ଼ଯନ୍ତ୍ର କରିଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ପାଖରେ ପୁଲିସ ପହଞ୍ଚିପାରିନାହିଁ। ଅନ୍ୟ ପକ୍ଷରେ କାନାଡାରେ ବସି ମୁସେୱାଲାଙ୍କୁ ନେଇ ବଡ଼ ବଡ଼ ଦାବି କରିବାରେ ଲାଗିଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି।
ଏବେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲଡି ବ୍ରାର ଏକ ଭିଡିଓ ଜାରି କରିଛି। ଏଥିରେ ସେ ଦାବି କରିଛି ଯେ, ମୋ ବନ୍ଧୁ ବିକି ମୁଥୁଖେଡାକୁ ହତ୍ୟା କରାଯିବା ପରେ ମୁସେୱାଲା ନିଜ ଜୀବନ ବଞ୍ଚାଇବା ପାଇଁ ମୋତେ ୨କୋଟି ଟଙ୍କା ଅଫର କରିଥିଲା। କିନ୍ତୁ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲି। ଗୋଲ୍ଡି ବ୍ରାର ଏବେ କାନାଡାର କୌଣସି ସ୍ଥାନରେ ଲୁଚି ରହିଥିବା ବେଳେ ତା’ର ପତ୍ତା ପୁଲିସକୁ ମିଳିପାରିନାହିଁ।
ଗୋଲ୍ଡି ବ୍ରାର ଆହୁରି କହିଛି ଯେ, ମୁସେୱାଲା ଜଣେ ସହିଦ ନୁହଁନ୍ତି। ସେ ବାରମ୍ବାର ଭୁଲ କରି ଚାଲିଥିଲା, ଯେଉଁଥିପାଇଁ ତାକୁ ଦଣ୍ଡ ଦିଆଗଲା। ଆମେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅପେକ୍ଷା କରିଥିଲୁ, କିନ୍ତୁ ତାହା ହୋଇ ନଥିଲା। ସାଧାରଣ ଲୋକଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଏ କିନ୍ତୁ ବଡ ବଡ଼ ଷ୍ଟାର, ରାଜନେତା ଏବଂ ସେମାନଙ୍କ ସାଙ୍ଗମାନଙ୍କ ଉପରେ କେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ। ମୁଥୁଖେଡା ହତ୍ୟାକାଣ୍ଡ ପରେ ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ସେ ଆମଠାରୁ ଦୟା ଭିକ୍ଷା କରୁଥିଲେ। ଏହା ବଦଳରେ ସେ ଆମକୁ ଦୁଇ କୋଟି ଟଙ୍କା ପ୍ରଦାନ କରିବାକୁ ଅଫର କରିଥିଲା, କିନ୍ତୁ ଆମେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲୁ।
ଉଲ୍ଲେଖଯୋଗ୍ୟ, ବିକି ମୁଥୁଖେଡା, ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇ ସାଙ୍ଗ ହୋଇ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେବେଠାରୁ ୩ଜଣଙ୍କର ଅତୁଟ ବନ୍ଧୁତା ଆରମ୍ଭ ହୋଇଥିଲା। ୩ଜଣ ଛାତ୍ର ରାଜନୀତିରେ ସକ୍ରିୟ ଚେହେରା ଥିଲେ। ୩ଜଣ ପରସ୍ପରକୁ ୨୦୦୫ରୁ ୨୦୧୦ ମଧ୍ୟରେ ଭେଟିବା ପରେ ସେଠାରୁ‌ ସେମାନଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ବିିକି ମୁଥୁଖେଡା ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ବାହାରି ଅକାଳୀ ଦଳର ଯୁବ ସଂଗଠନରେ ଯୋଗ ଦେଇଥିଲେ ଏବଂ ପଞ୍ଜାବରେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ହେଲେ ଅଗଷ୍ଟ ୨୦୨୧ରେ ତାଙ୍କର ହତ୍ୟା କରାଯାଇଥିଲା। ମୃତ୍ୟୁ ପରେ ତାଙ୍କ ବନ୍ଧୁ ଗୋଲ୍ଡି ବ୍ରାର ଓ ଲରେନ୍ସ ତାଙ୍କ ହତ୍ୟାର ପ୍ରତି‌ଶୋଧ ନେବାକୁ ଶପଥ କରିଥିଲେ। ଏହି କାରଣରୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବା ଲନନ୍ସେ ପୁଲିସ ଆଗରେ ପୂର୍ବରୁ କହିସାରିଛି।

nis-ad
Leave A Reply

Your email address will not be published.