ସୁନ୍ଦରଗଡ଼ ଜିଲ୍ଲାରେ ୧୮ରୁ ୫୯ ବର୍ଷ ବର୍ଗଙ୍କୁ କୋଭିଡ ବୁଷ୍ଟର ଡୋଜ୍‌

ସୁନ୍ଦରଗଡ଼ (୧୫/୦୭) : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଦେଶରେ ୧୮ରୁ ୫୯ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡର ବୁଷ୍ଟର ଡୋଜ୍ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଯୋଡ଼ି ହୋଇଛି। ଏହି ଟିକାକରଣ ପାଇଁ ଜିଲ୍ଲାରେ ୪୦ରୁ ଅଧିକ କେନ୍ଦ୍ର କରାଯାଇଛି। ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକା ସହିତ ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରେ ଟିକାକରଣ କେନ୍ଦ୍ର କରାଯାଇଛି। ପ୍ରଥମ ଦିନରେ ୩ ହଜାର ୬୫୨ ଜଣ ଟିକା ନେଇଛନ୍ତି। ଆସନ୍ତା ୭୫ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ।

ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲଠାରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ରଙ୍କ ଉପସ୍ଥିତିରେ ସଂପୃକ୍ତ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ତଥା ପ୍ରଫେସର ଡାକ୍ତର ଦୈତାରି ରାଉତରାୟ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏଡିପିଏଚଓ ଡାକ୍ତର କାହ୍ନୁ ଚରଣ ନାୟକ ଏବଂ ଡିପିଏମ୍ ଶଙ୍କର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

“ଟିକା ହେଉଛି ଆମର ସୁରକ୍ଷା କବଚ। ଏହି ଟିକାକରଣ ପାଇଁ ଆମେ ବିଗତ ଦିନମାନଙ୍କରେ କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିପାରିଛନ୍ତି। ତେଣୁ ଏବେ ୭୫ ଦିନ ଯାଏଁ ଚାଲିବାକୁ ଥିବା ଏହି ବୁଷ୍ଟର ଡୋଜ୍ ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତ ହିତାଧିକାରୀ ସାମିଲ ହୁଅନ୍ତୁ। ନିଜକୁ ଓ ନିଜ ପରିବାରକୁ କରୋନାରୁ ସୁରକ୍ଷିତ ରଖନ୍ତୁ”, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର। ପ୍ରଥମ ଦିନରେ ହିତାଧିକାରୀମାନେ କରୋନା ନିୟମ ମାନି ଅନସାଇଟ୍ ପଞ୍ଜିକରଣ କରି ବିଭିନ୍ନ କେନ୍ଦ୍ରରେ ଟିକା ନେଇଛନ୍ତି।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ବୁଷ୍ଟର ଡୋଜ୍ ଟିକାକରଣକୁ ବ୍ୟାପକ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ବୁଷ୍ଟର ଡୋଜ୍ ସହିତ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକାକରଣ ମଧ୍ୟ କରାଯାଉଛି।

nis-ad
Leave A Reply

Your email address will not be published.