ଏମ୍‌କେସିଜିରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ମେଡ଼ିକାଲ ଏମକେସିଜିରେ ପୁଣିଥରେ ଚିକିତ୍ସା ଅବେହଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି | ଜଣାପଡ଼ିଛି ପାଟପୁର ଗ୍ରାମର ସବିତା ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗତ କାଲି ବିଗିଡି ଯିବାପରେ ପରିବାରବର୍ଗ ପକ୍ଷରୁ ପ୍ରଥମେ ତାଙ୍କୁ ଆଡ଼ପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଗୁରୁବାର ରାତିରେ ଏମ୍‌କେସିଜି ମେଡ଼ିକାଲରେ ଭର୍ତି କରାଯାଇଥିଲା । ପ୍ରଥମେ କାଜୁଆଲଟି ରେ ଦେଖାଇବା ପରେ ଡ଼ାକ୍ତର ତାଙ୍କୁ ଭେଷଜ ବିଭାଗ ୱାର୍ଡ଼କୁ ପଠାଇ ଦେଇଥିଲେ । ତେବେ ସେଠାରେ କୌଣସି ଡ଼ାକ୍ତର ତାଙ୍କୁ ଚିକିତ୍ସା କରିନଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ ବିକାଶ ପାଣିଗ୍ରାହୀ ।

ସାରା ରାତି ତାଙ୍କୁ କୌଣସି ଡାକ୍ତର ଚିକିତ୍ସା କରିନଥିଲେ। ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ା ପରେ ସେ ବାରମ୍ବାର ୱାର୍ଡ଼ରେ ଥିବା ଡ଼ାକ୍ତରୀ ଛାତ୍ରଙ୍କୁ ଜଣାଇଥିଲେ । ତେବେ ଡ଼ାକ୍ତରୀ ଛାତ୍ର ମାନେ ସକାଳକୁ ବଡ଼ ଡ଼ାକ୍ତର ଆସିଲେ ଚିକିତ୍ସା ହେବ ବୋଲି କହି କଥାକୁ ଟାଳି ଦେଇଥିଲେ । ସକାଳେ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ୱାର୍ଡ଼ରେ ନୁହଁ ପୁଣି କାଜ୍ୟୁଆଲିଟିକୁ ରୋଗୀଙ୍କୁ ନେବା ପାଇଁ ପରାମର୍ଶ ଦେଇଥିଲେ ଉପସ୍ଥିତ ଡ଼ାକ୍ତର । ପୁଣି ବିକାଶ ପାଣିଗ୍ରାହୀ ତାଙ୍କ ମାଆଙ୍କୁ କାଜ୍ୟୁଆଲିଟିକୁ ନେଇ ଆସିଥିଲେ । ତେବେ ସେଠାରେ ମଧ୍ୟ କୌଣସି ଚିକିତ୍ସା କରାନଯିବା ପରେ ସବିତାଙ୍କ ମୃତ୍ୟୁ ଘଟିଥିଲା ।ଏହାକୁ ନେଇ ସେଠାରେ କିଛି ସମୟ ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ରୋଗୀଙ୍କ ସଂପର୍କିୟଙ୍କୁ କିଛି ଡ଼ାକ୍ତରୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି । ମେଡ଼ିକାଲ ଫାଣ୍ଡି ପୋଲିସ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଶବଗୃହକୁ ପଠାଇ ଦିଆଯାଇଥିଲା । ବାରମ୍ବାର ଏମ୍‌କେସିଜି ମେଡ଼ିକାଲରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରୁଥିବା ଅଭିଯୋଗ ହେଲେ ମଧ୍ୟ ମେଡ଼ିକାଲ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁନ୍ତି। ଯାହାକୁ ନେଇ ବାରମ୍ବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ବହୁ ଗ୍ରାମାଞ୍ଚଳରୁ ରୋଗୀମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲ ରେ ଭର୍ତି ହେଉଥିଲେ ମଧ୍ୟ଼ ଚିକିତ୍ସାରେ ଅବହେଳା ଯୋଗୁଁ ବହୁ ନିରୀହ ଜୀବନ ଅକଳାରେ ବିୟୋଗ ଘଟୁଛି । କିନ୍ତୁ ଏହାର ସ୍ଥାୟୀ ସମାଧାନ ଦିଗରେ ନା ପ୍ରଶାସନ କ୍ଷେତ୍ରରେ ନା ରାଜନୈତିକ ପ୍ରତିନିଧି ଙ୍କ ପକ୍ଷରୁ ଉଦ୍ୟମ ହେଉନି । ଫଳରେ ନିରୀହ ଜୀବନ ଯାଉଛି।ବେଳେ ବେଳେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତର ଛାତ୍ରଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଥିବା ନଜିର ରହିଛି । ସରକାର ଚିକିତ୍ସା ସେବା ନେଇ ଡିଣ୍ଡିମା ପିଟୁଛନ୍ତି।କିନ୍ତୁ ତାହା କେତେ ଫଳପ୍ରଦ ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପାଟପୁର ସବିତାଙ୍କ ମୃତ୍ୟୁ ଘଟଣା।

nis-ad
Leave A Reply

Your email address will not be published.