ପା‌କିସ୍ତାନକୁ ଚତୁର୍ଥ ସ୍ଥାନକୁ ଠେଲିଲା ଭାରତ: ବୁମ୍‌ରା ପୁଣି ଏକ ନମ୍ବର

ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସହଜ ବିଜୟ ଉପହାର ଦେବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପୁଣି ଥରେ ଦିନିକିଆ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ପାଖାପାଖି ଦୁଇ ବର୍ଷ ଧରି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ରହିବା ପରେ ଗତ ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ଗାଦିଚ୍ୟୁତ କରିଥିଲେ। ଏବେ କିନ୍ତୁ ବୁମ୍‌ରା ତାଙ୍କ ପୁରୁଣା ସ୍ଥାନକୁ ଅକ୍ତିଆର କରି ନେଇଛନ୍ତି। ଅତୀତରେ ସେ ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସଂପ୍ରତି ଟେଷ୍ଟ୍ ବୋଲର ମାନ୍ୟତାର ତୃତୀୟ ସ୍ଥାନରେ ରହିଛନ୍ତି। ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ରହିବାରେ କପିଳ ଦେବଙ୍କ ପରେ କିନ୍ତୁ ଦ୍ବିତୀୟ ଭାରତୀୟ ବୋଲର ହୋଇଥିଲେ ସେ। ଏହି ଦୁଇ ଜଣଙ୍କ ଛଡ଼ା ପୂର୍ବତନ ଭାରତୀୟ ସ୍ପିନର ମନୀନ୍ଦର ସିଂହ, ଅନିଲ କୁମ୍ବଲେ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଆଇସିସି ଦିନିକିଆ‌ ମାନ୍ୟତାର ପ୍ରଥମ ସ୍ଥାନ ଅଳଙ୍କୃତ କରିସାରିଛନ୍ତି। ବୁମ୍‌ରାଙ୍କ ନୂଆ ବଲ୍ ଯୋଡ଼ି ମହମ୍ମଦ ସାମି ମଧ୍ୟ ନିଜ ମାନ୍ୟତାରେ ଉନ୍ନତି ଆଣିଛନ୍ତି। ଇଂଲଣ୍ଡକୁ ଏହି ମ୍ୟାଚ୍‌ରେ ମାତ୍ର ୧୧୦ ରନ୍‌ରେ ଅଲଆଉଟ୍ କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିବା ସାମି (୩/୩୧) ତିନିଟି ସ୍ଥାନ ଉପରକୁ ଉଠି ଭୁବନେଶ୍ବର କୁମାରଙ୍କ ସହ ଯୁଗ୍ମ ୨୩ତମ ସ୍ଥାନରେ ରହିଛନ୍ତି।
ବ୍ୟାଟିଂରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ ଅଧିନାୟକ ତଥା ତୃତୀୟ ସ୍ଥାନରେ ଥିବା ବିରାଟ କୋହଲି ଏବଂ ତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ କମାଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଏକଦିବସୀୟରେ ୭୬* ରନ୍‌ର ଅପରାଜିତ ପାଳି ଖେଳିବା ପରେ ଚତୁର୍ଥ ସ୍ଥାନରେ ଥିବା ରୋହିତ ଏବେ କୋହଲିଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛନ୍ତି। ବାମହାତୀ ଓପ୍‌ନର ଶିଖର ଧାୱନ ୩୧ ରନ୍‌ର ଅପରାଜିତ ପାଳି ଖେଳିବା ପରେ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବାଦଶ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସଂପ୍ରତି ଦିନିକିଆ ବ୍ୟାଟିଂ ମାନ୍ୟତାରେ ପାକିସ୍ତାନର ବାବର ଆଜମ ପ୍ରଥମ ସ୍ଥାନରେ ସ୍ଥିର ରହିଛନ୍ତି। ଟ୍ବେଣ୍ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ସେହିଭଳି ଟ୍ବେଣ୍ଟି-୨୦ ବୋଲିଂ ମାନ୍ୟତାରେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର ମଧ୍ୟ ନିଜ କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ପା‌କିସ୍ତାନକୁ ଚତୁର୍ଥ ସ୍ଥାନକୁ ଠେଲିଲା ଭାରତ
ବିଶ୍ବକପ୍ ବିଜେତା ଇଂଲଣ୍ଡ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌କୁ ୧୦ ୱିକେଟ୍‌ରେ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଆଇସିସି ମାନ୍ୟତାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହି କ୍ରମରେ ଟିମ୍ ଇଣ୍ଡିଆ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ତୃତୀୟରୁ ଚତୁର୍ଥ ସ୍ଥାନକୁ ଠେଲି ଦେଇଛି। ଏହି ମ୍ୟାଚ୍‌ ପୂର୍ବରୁ ଭାରତ ୧୦୫ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା। ଏବେ ୧୦୮ ପଏଣ୍ଟ ଲାଭ କରି ତୃତୀୟରେ ଅଛି। ପାକିସ୍ତାନ ୧୦୬ ପଏଣ୍ଟରେ ସ୍ଥିର ରହିଛି। ଏହି ତାଲିକାରେ ନ୍ୟୁଜିଲାଣ୍ଡ (୧୨୭)ପୂର୍ବବତ୍ ପ୍ରଥମ ସ୍ଥାନ ବଜାୟ ରଖିଥିଲା ବେଳେ ଇଂଲଣ୍ଡ (୧୨୨) ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଚଳିତ ମାସ ପ୍ରାରମ୍ଭରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମୂଳପୋଛ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଭାରତକୁ ପାକିସ୍ତାନ ଚତୁର୍ଥ ସ୍ଥାନକୁ ଠେଲିଥିଲା। ଏବେ ଏହି ସ୍ଥିତି ଅଦଳ ବଦଳ ହୋଇଯାଇଛି।

nis-ad
Leave A Reply

Your email address will not be published.