ବର୍ଷା ପାଇଁ ବିଜେପି ବିଧାୟକଙ୍କୁ କାଦୁଅରେ ଗାଧୋଇ ଦେଲେ ମହିଳା

ଲକ୍ଷ୍ନୌ: ପ୍ରବଳ ଖରାରେ ଆଉଟ ପାଉଟ ହେଉଥିବା ଲୋକମାନେ ଅଭିନବ ଉପାୟରେ ଇନ୍ଦ୍ର ଦେବକୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଛନ୍ତି। ଭଲ ବର୍ଷା ପାଇଁ ଉତ୍ତର ପ୍ରଦେଶର ମହାରାଜଗଞ୍ଜର ମହିଳାମାନେ ସ୍ଥାନୀୟ ବିଜେପି ବିଧାୟକଙ୍କୁ କାଦୁଅରେ ଗାଧୋଇ ଦେଇଛନ୍ତି। ଏହାଦ୍ୱାରା ଗାଁ ତଥା ଜିଲ୍ଲାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସେମାନଙ୍କୁ ମୁକ୍ତି ମିଳିବ ବୋଲି ସେମାନେ ବିଶ୍ୱାସ ରଖିଛନ୍ତି।
ମଙ୍ଗଳବାର ରାତିରେ ପିପ୍ରାଡେଓରା ଗାଁର ମହିଳାମାନେ ସ୍ଥାନୀୟ ବିଜେପି ବିଧାୟକ ଜୟ ମଙ୍ଗଳ କନୋଜିଆ ଓ ମ୍ୟୁନସିପାଲ କାଉନସିଲର ସଭାପତି କ୍ରିଷ୍ଣ ଗୋପାଲ ଜୈସୱାଲଙ୍କ ଉପରେ କାଦୁଅ ଢାଳି ଗାଧୋଇ ଦେଇଛନ୍ତି। ଇନ୍ଦ୍ର ଦେବକୁ ପ୍ରସନ୍ନ କରିବା ପାଇଁ ଗାଁର ମହିଳାମାନେ ଏପରି ସ୍ୱତନ୍ତ୍ର ନୀତିକାନ୍ତି କରିଛନ୍ତି। ପୂର୍ବ ୟୁପିରେ ରହୁଥିବା କିଛି ଲୋକଙ୍କ ବିଶ୍ୱାସ ଯେ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ କାଦୁଆ ଢାଳିବା ଦ୍ୱାରା ବର୍ଷାର ଦେବତା ଇନ୍ଦ୍ର ପ୍ରସନ୍ନ ହୋଇଥାଆନ୍ତି।
ଏହି ବିଶ୍ୱାସକୁ ଆଧାର କରି ବିଧାୟକ ଓ କାଉନସିଲର ସଭାପତି ମଧ୍ୟ କାଦୁଅରେ ଗାଧୋଇଛନ୍ତି। ମହିଳାମାନେ ବିଧାୟକ ଓ ସଭାପତିଙ୍କ ଉପରେ କାଦୁଅ ଢାଳିବା ପରେ କହିଛନ୍ତି ଯେ ଏବେ ଇନ୍ଦ୍ର ଦେବ ପ୍ରସନ୍ନ ହେବେ ଓ ଏଠାରେ ଭଲ ବର୍ଷା କରାଇବେ।

ବିଧାୟକ କନୋଜିଆ କହିଛନ୍ତି, ଲୋକମାନେ ଅତ୍ୟଧିକ ଖରାରେ ଆଉଟ ପାଉଟ ହେଉଛନ୍ତି। ଲୋକମାନେ ଗରମରେ ସିଝିବାରେ ଲାଗିଛନ୍ତି। ଫସଲ ଶୁଖି ଗଲାଣି। ପୂର୍ବପୁରୁଷରୁ ଏହି କାଦୁଅ ଢାଳିବାର ପରମ୍ପରା ରହିଛି। ଏଥିପାଇଁ ସେ ଗାଁ ଲୋକଙ୍କ କଥାରେ କାଦୁଆରେ ଗାଧୋଇଛନ୍ତି।

nis-ad
Leave A Reply

Your email address will not be published.