ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ୁଛି, ସେଥିରେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍। ମାତ୍ର ୧ ପ୍ରତିଶତ ରୋଗୀ ଡାକ୍ତରଖାନା ଯାଉଛନ୍ତି ।
ଗତକାଲି ସୁଦ୍ଧା ୩ ହଜାରରୁ ଅଧିକ ସକ୍ରିୟ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୩୧ ଜଣ ଡାକ୍ତରଖାନାରେ ଅଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ ୨୫ ଜଣ ICUରେ ଅଛନ୍ତି । ଅଧିକାଂଶ ରୋଗୀ ଲକ୍ଷଣଯୁକ୍ତ ନୁହନ୍ତି । ବୟସ୍କ ଲୋକ, କୋମରବିଡିଟି ଥିବା କିଛି ରୋଗୀ ଡାକ୍ତରଖାନାରେ ଅଛନ୍ତି ।
ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ସର୍ବଭାରତୀୟ କୋଭିଡ ସ୍ଥିତି ଦେଖିଲେ, ସବୁ ରାଜ୍ୟରେ କୋଭିଡ ବଢୁନି । ଯେଉଁ ରାଜ୍ୟରେ ବଢ଼ୁଛି, କେବଳ ସହରାଞ୍ଚଳରେ ହିଁ ସଂକ୍ରମଣ ବଢ଼ୁଛି, ଗ୍ରାମାଞ୍ଚଳରେ ନାହିଁ । ଯେହେତୁ ବର୍ତ୍ତମାନ ଅନ୍ତଃରାଜ୍ୟ କଟକଣା ନାହିଁ, ବାଣିଜ୍ୟ ବ୍ୟବସାୟ ଉପରେ କଟକଣା ନାହିଁ, ଲୋକମାନଙ୍କ ଯାତାୟାତ ହେଉଛି, ଲୋକ ଏକାଠି ହେଉଛନ୍ତି, ସେସବୁ ସ୍ଥାନରେ ସଂକ୍ରମଣ ଅଧିକ ରହୁଛି । ଆମ ରାଜ୍ୟରେ TPR ଅନୁସାରେ କଟକ, ପୁରୀ, ଖୋର୍ଦ୍ଧାର ସହରାଞ୍ଚଳରେ ସଂକ୍ରମଣ ଅଧିକ ରହିଛି ।
ତେବେ ରଥଯାତ୍ରା ଯୋଗୁଁ ସଂକ୍ରମଣ ବଢିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, କୋଭିଡ ସଂକ୍ରମଣ ରୋକିବାରେ ଲୋକଙ୍କ ସହଭାଗିତା ଦରକାର । ଲୋକଙ୍କ ଭାବାବେଗକୁ ତ ଅଟକାଇ ହେବନାହିଁ । ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ, ଆଗକୁ କଣ ହେଉଛି ଜଣାପଡ଼ିବ । ତେବେ ଯେହେତୁ ଅଧିକାଂଶ ଲୋକ ଟିକା ନେଇଛନ୍ତି, ସଂକ୍ରମଣ ହୋଇପାରେ, କିନ୍ତୁ ଗୁରୁତର ହେବା କ୍ଷମତା କମ ରହିପାରେ । ରାଜ୍ୟରେ ସଂକ୍ରମଣ କେବେ ପିକ ହେବ, ଏବେଠୁ ଆକଳନ କରିବା କଷ୍ଟକର ।