‘ଯିଏ ମାଗିବ ତାକୁ ଭୋଟ୍‌ ଦେବି’ : ଶିବପାଳ ସିଂହ ଯାଦବ

ଲକ୍ଷ୍ନୌ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିନର୍‌ ପାର୍ଟି ପରେ ରାଜ୍ୟରେ ମାହୋଲ ବଦଳି ଯାଇଛି। ସମାଜବାଦୀ ପାର୍ଟି ଏବଂ ତା’ର ସହଯୋଗୀ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ରାଜ୍ୟର ସପା ବିଧାୟକ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଳ ସିଂହ ଯାଦବଙ୍କ ଏହି ମାମଲାରେ ମଧ୍ୟ ବଡ ବୟାନ ଆସିଛି। ସେ କହିଛନ୍ତି, ‘ଯିଏ ମାଗିବ ତାକୁ ଭୋଟ ଦେବି। ନା ସମାଜବାଦୀ ପାର୍ଟି ମୋତେ ଫୋନ୍‌ କରି ଆମନ୍ତ୍ରିତ କରିଛି ନା ବିଏସ୍‌ପି କିଛି କହିଛି। ଯୋଗୀ ମୋତେ ଭୋଟ୍‌ ମାଗିଛନ୍ତି, ତେଣୁ ତାଙ୍କୁ ଭୋଟ୍‌ ଦେବି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଁ ଭୋଟ୍‌ ଦେବି।’ ଏହି ବୟାନ ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ସିଂହ ଯାଦବ ଓ ଶିବପାଲଙ୍କ ମଧ୍ୟରେ ପୁଣି ଥରେ ଫାଟ ସୃଷ୍ଟି ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି।
ସୂଚନା ମୁତାବକ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୟୁପିର ରାଜଧାନୀ ଲକ୍ଷ୍ନୌ ପହଞ୍ଚିଥିଲେ। ଏଠାରେ ସେ ବିଜେପି ଓ ତା’ର ସହଯୋଗୀ ଦଳକୁ ସମର୍ଥନ ମାଗିଥିଲେ। ଏନ୍‌ଡିଏ ପ୍ରାର୍ଥୀଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଡିନର ପାର୍ଟି ଆୟୋଜନ କରିଥିଲେ। ଏହି ଡିନର୍‌ ପାର୍ଟିରେ ସୁଭାସପା ପ୍ରମୁଖ ଓମପ୍ରକାଶ ରାଜଭର, ଶିବପାଳ ଯାଦବ, ରାଜା ଭୌୟା ଓ ବସପା ବିଧାୟକ ମଧ୍ୟ ସାମିଲ ହୋଇଥିଲେ। ଏମାନେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନେଇ ଘୋଷଣା କରିଛନ୍ତି। ଏହି ଚାରି ନେତାଙ୍କ ଉପସ୍ଥିତିକୁ ନେଇ ଏବେ ରାଜନୈତିକ ସମୀକରଣ ବଦଳିବାକୁ ଯାଉଥିବା ଆଶଙ୍କା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଲକ୍ଷ୍ନୌ ଆସିଥିଲେ। ସେତେବେଳେ ଅଖିଲେଶ ଯାଦବ ରାଜଭର ଓ ଶିବପାଲ ଯାଦବଙ୍କୁ ବୈଠକରେ ସାମିଲ ହେବା ପାଇଁ ଡାକି ନଥିଲେ। ଏହାକୁ ନେଇ ଦୁଇ ନେତା ରାଗି ଯାଇଥିବା କୁହାଯାଉଛି।

nis-ad
Leave A Reply

Your email address will not be published.