କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ : ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ଜୀବିକା ଆଦି ପ୍ରମୁଖ ପ୍ରକଳ୍ପର ପରିଦର୍ଶନ…

ସୁନ୍ଦରଗଡ଼ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀଯୁକ୍ତ ଅନିଲ କୁମାର ଝା ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ବିଶେଷକରି ସେମାନଙ୍କ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଏବଂ ଜୀବିକା ଲାଗି ରହିଥିବା ପ୍ରମୁଖ ପ୍ରକଳ୍ପର ସେ ପରିଦର୍ଶନ କରିଥିଲେ। ଏହି ଗସ୍ତରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଗୁରୁବାର ଦିନ ଶ୍ରୀ ଝା ପ୍ରଥମେ ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଯାଇ ଭିତ୍ତିଭୂମି ବୁଲି ଦେଖିଥିଲେ। ସେଠାରେ ରୋଗୀଙ୍କ ଆବଶ୍ୟକ ଚିକିତ୍ସା ପାଇଁ ରହିଥିବା ବ୍ୟବସ୍ଥା ସମ୍ପର୍କରେ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଥିଲେ।

ଏହାପରେ ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ବଡ଼ଗାଁ ବ୍ଲକର ଜରଙ୍ଗଲୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଯାଇ ସେଠାରେ ମିଳୁଥିବା ଚିକିତ୍ସା ସେବା ବିଷୟରେ ଡାକ୍ତରଙ୍କ ସହ କଥା ହୋଇଥିଲେ।

ବଡ଼ଗାଁ ବ୍ଲକର ତୁଡ଼ାଲଗାସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ‘ଉତ୍କର୍ଷ କେନ୍ଦ୍ର’ କରାଯାଇଛି। ଏହି କେନ୍ଦ୍ରରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ସୁନ୍ଦରଗଡ଼ ସହିତ ୧୩ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ନେଉଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବ ଏହି କେନ୍ଦ୍ରକୁ ଯାଇ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ଫୁଲବାରିଠାରେ ମିଶନ ଜୀବିକା କ୍ଲଷ୍ଟର ଅଧୀନରେ ଥିବା କେତେକ ସଫଳ ତରଭୁଜ ଚାଷୀଙ୍କୁ ଭେଟିଥିଲେ।

ଏହାସହ ସବଡେଗା ବ୍ଲକ କରମଡିହସ୍ଥିତ ବନ ଧନ ବିକାଶ କେନ୍ଦ୍ର ପରିଦର୍ଶନ କରି ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ, ପ୍ରକ୍ରିୟାକରଣ ଓ ବିପଣନ ବିଷୟରେ ସେ ପଚାରି ବୁଝିଥିଲେ।

ଶୁକ୍ରବାର ଦିନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଅନିଲ କୁମାର ଝା ଭବାନୀପୁରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ସେ କ୍ଲାସରୁମ, ଲାଇବ୍ରେରି ଏବଂ ଲାବୋରେଟୋରି ସହିତ ନିର୍ମାଣାଧୀନ ହଷ୍ଟେଲ କାର୍ଯ୍ୟ ବୁଲି ଦେଖିଥିଲେ। ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଓ କ୍ରୀଡ଼ା ଆଦି ବିଷୟରେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ପଚାରି ବୁଝିଥିଲେ।

ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ରୂପାନ୍ତରିତ ମେଘଡେଗା ସରକାରୀ ହାଇସ୍କୁଲ ସେ ପରିଦର୍ଶନ କରିଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ପାଠାଗାର ଏବଂ କମ୍ପ୍ୟୁଟର ଲ୍ୟାବ ଆଦି ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ସୁନ୍ଦରଗଡ଼ ରଙ୍ଗାଢିପାସ୍ଥିତ ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ। ଏହି ଚିକି ପ୍ରସ୍ତୁତିରେ ନିୟୋଜିତ ମିଶନଶକ୍ତି ମା’ମାନଙ୍କ ସହ ସେ ସିଧାସଳଖ କଥା ହୋଇ ସେମାନଙ୍କ ଜୀବିକା ବିକାଶ ବିଷୟରେ ପଚାରି ବୁଝିଥିଲେ। ଏସଏଚଜିର ମା’ମାନେ ତାଙ୍କୁ ଚିକି ପ୍ରସ୍ତୁତି ବିଷୟରେ ବୁଝାଇଥିଲେ।

ଟାଙ୍ଗରପାଲି ବ୍ଲକର ତୁରୁଙ୍ଗାଗଡ଼ଠାରେ ଚାଷୀଙ୍କ ଜୀବିକା ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଆମ୍ବ ବଗିଚା ଏବଂ ଇଣ୍ଟର କ୍ରପିଂକୁ ପ୍ରୋତ୍ସାହିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ମଜୁରି ସହାୟତା ଦିଆଯାଉଛି। ସେହିପରି ମହୁଲପାଲିଠାରେ ଏସଏଚଜି ମା’ଙ୍କ ଜୀବିକା ପାଇଁ ୫୦୦ କ୍ଷମତା ବିଶିଷ୍ଟ ବ୍ରୁଡ଼ିଂ ଆଣ୍ଡ ଗ୍ରୋଇଂ ୟୁନିଟ୍ ସ୍ଥାପନ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀଯୁକ୍ତ ଅନିଲ କୁମାର ଝା ଏହି ଦୁଇଟି ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ।

ଏହି ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.