ଅହମଦାବାଦର ନାଁ ଆଦାନୀବାଦ ରଖିବାକୁ ପରାମର୍ଶ ଦେଲେ କେଟିଆର

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦକୁ ଭାଗ୍ୟନଗର ଭାବେ ସମ୍ବୋଧନ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର କରାଯିବ ବୋଲି ମଧ୍ୟ ଦଳର ନେତାମାନେ ମତ ରଖିଛନ୍ତି। ଏହି ନାଁ ପରିବର୍ତ୍ତନ ଚର୍ଚ୍ଚା ଭିତରେ ତେଲେଙ୍ଗାନା ସରକାରରେ ମନ୍ତ୍ରୀ ଥିବା କେଟିଆର ବିଜେପିକୁ ତେର୍ଚ୍ଛା ବାଣ ମାରିଛନ୍ତି।
ସେ କହିଛନ୍ତି, “କାହିଁକି ଆପଣ ପ୍ରଥମେ ଅହମଦାବାଦର ନାଁକୁ ଆଦାନୀବାଦ କରୁନାହାନ୍ତି? ଜୁମଲାଜୀବୀ କିଏ କହିଲେ?” କେଟିଆର ଏଠାରେ ମୋଦିଙ୍କ ହୋମ ଟାଉନ ଗୁଜରାଟର ଅହମଦାବାଦ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ବିଷୟରେ କହିଛନ୍ତି। ଏଥିସହ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହାଇଦ୍ରାବାଦର ନାଁ ବଦଳାଇ ଭାଗ୍ୟନଗର ରଖାଯିବ ବୋଲି ଦେଇଥିବା ବୟାନକୁ ବି କେଟିଆର ଟ୍ୱିଟ କରିଛନ୍ତି।
ରବିବାର ବିଜେପି ନେତାମାନଙ୍କୁ ସମ୍ବୋଧନ କରିବା ବେଳେ ମୋଦି ହାଇଦ୍ରାବାଦକୁ ଭାଗ୍ୟନଗର ବୋଲି କହିଥିଲେ। କେବଳ ମୋଦି ନୁହନ୍ତି, ଅନେକ ବିଜେପି ଓ ଆରଏସଏସ ନେତାମାନେ ମଧ୍ୟ ତେଲେଙ୍ଗାନା ରାଜଧାନୀକୁ ଭାଗ୍ୟନଗର ନାଁରେ ନାମିତ କରିବାକୁ ଦାବି କରିଛନ୍ତି। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିବାକୁ ଆସିଥିଲେ। ଏହି ସମୟରେ ସେ ଲୋକମାନଙ୍କୁ ହାଇଦ୍ରାବାଦକୁ ଭାଗ୍ୟନଗରରେ ପରିବର୍ତ୍ତନ କରିବା ପାଇଁ ଭୋଟ ଦେବାକୁ ଅନୁରୋଧ କରିଥିଲେ।

nis-ad
Leave A Reply

Your email address will not be published.