ମହାରାଷ୍ଟ୍ର ବିଧାନସଭାରେ ଆସ୍ଥାଭୋଟ୍ : ସିନ୍ଦେ ବିଜୟୀ

ମୁମ୍ବାଇ: ଦୀର୍ଘ ୨ ସପ୍ତାହର ଛକାପଞ୍ଝା ପରେ ମହାରାଷ୍ଟ୍ରରେ ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ସରକାର କାର୍ଯ୍ୟ ଆରମ୍ଭ କରିଛି। ବିଜେପି ସମର୍ଥନରେ ସିନ୍ଦେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଜି ସେ ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବାଜି ମାରିଛନ୍ତି। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଭୋଟ ପଡ଼ିଛି।
ଉଦ୍ଧବ ଠାକରେ ସରକାରରେ ସିନ୍ଦେ କ୍ୟାବିନେଟ ମନ୍ତ୍ରୀ ଥିଲେ। ହେଲେ ସେ ୪୦ ଜଣ ଶିବସେନା ବିଧାୟକଙ୍କୁ ନେଇ ବିଦ୍ରୋହ କରିବାରୁ ଉଦ୍ଧବ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ସମର୍ଥନରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ସହ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରୁଛନ୍ତି। ଏସବୁ ଭିତରେ ଆଜି ସରକାର ଚଳାଇବା ସିନ୍ଦେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି।
ବିଧାନସଭାରେ ମୁଣ୍ଡ ଗଣତି ହିସାବରେ ଆସ୍ଥା ଭୋଟ ହୋଇଥିଲା। ଏଥିରେ ଏକନାଥ ସିନ୍ଦେ ୧୬୪ ବିଧାୟକଙ୍କ ସମର୍ଥନ ପାଇଛନ୍ତି। ସେହିପରି ବାଚସ୍ପତି ନିର୍ବାଚନରେ ବିରୋଧୀ ଦଳ ସପକ୍ଷରେ ୧୦୭ ଭୋଟ ପଡ଼ିଥିବା ବେଳେ ଆଜି ଏହା ୯୯କୁ ଖସି ଆସିଛି। ଗତକାଲି ବିରୋଧୀଙ୍କ ସହ ଥିବା ଜଣେ ବିଧାୟକ ଆଜି ସିନ୍ଦେ କ୍ୟାମ୍ପରେ ସାମିଲ ହୋଇଛନ୍ତି। ସେହିପରି ବାକି ୬ ଜଣ ଆଜି ଭୋଟ ଦେଇ ନାହାନ୍ତି।
କଂଗ୍ରେସର ବିଜୟ ୱାଡେଟ୍ଟିୱାର ଓ ଜୀଶାନ ସିଦ୍ଦିକୀ ଆଜି ଭୋଟ ଦେଇ ନାହାନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆସ୍ଥା ଭୋଟ ପରେ ଗୃହରେ ପହଞ୍ଚିଥିଲେ। ଏନସିପିର ସଂଗ୍ରାମ ଜଗତପଙ୍କର ଆଜି ଦେଖା ମିଳିନି। ଗତକାଲି ଏମାନେ ବାଚସ୍ପତି ନିର୍ବାଚନ ବେଳେ ଭୋଟ ଦେଇଥିଲେ। ସମାଜବାଦୀ ପାର୍ଟିର ଅବୁ ଅଜମି, ଆର ଶେଖ ଓ ଏମଆଇଏମର ଶାହ ଫାରୁକ ଅନୱର ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ। ଆସ୍ଥା ଭୋଟ ପୂର୍ବରୁ ଉଦ୍ଧବ ଠାକରେଙ୍କ ଶିବସେନାରେ ରହିଥିବା ବିଧାୟକ ସନ୍ତୋଷ ବାଙ୍ଗର ଆଜି ସିନ୍ଦେ କ୍ୟାମ୍ପରେ ମିଶିଛନ୍ତି। ଏହାର ଅର୍ଥ ଏବେ ସିନ୍ଦେଙ୍କ ପାଖରେ ଶିବସେନାର ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସୂଚନାଯୋଗ୍ୟ, ଗତକାଲି ଅନୁଷ୍ଠିତ ହୋଇଥିବା ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପିର ରାହୁଲ ନାରୱେକର ବାଜିମାତ କରିଥିଲେ। ତାଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ କରିଥିବା ବେଳେ ୧୦୭ ଜଣ ତାଙ୍କ ବିରୋଧରେ ଭୋଟ ଦେଇଥିଲେ।

nis-ad
Leave A Reply

Your email address will not be published.