ଚାହିଁଲେ ବି କ୍ଷମତା ଛାଡ଼ି ପାରୁ ନାହାନ୍ତି ଉଦ୍ଧବ

ମୁମ୍ବାଇ: ମଣିଷ ଉପଭୋଗ କରୁଥିବା ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ଠାରୁ କ୍ଷମତାର ସ୍ୱାଦ ନିଆରା। ଏହି କ୍ଷମତା ପାଇଁ କେତେ ରକ୍ତପାତ ପୁଣି କେତେ ସଂଘର୍ଷ ଘଟିଛି ତାର ହିସାବ ନାହିଁ। ହେଲେ ଏହି କ୍ଷମତାର ଚୌକି ଯେବେ କଣ୍ଟା ସାଜି ଗଳାରେ ଲାଗେ ନା ତାକୁ କାଢ଼ି ହୁଏ ନା ଢ଼ୋକି ହୁଏ। କେବଳ ଯନ୍ତ୍ରଣାରେ ଛଟପଟ ହେବା ଛଡ଼ା ବାଟ କିଛି ନଥାଏ। ଠିକ୍‌ ଏମିତି କିଛି ଦୁର୍ଘଟଣା ଘଟିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କ୍ଷେତ୍ରରେ। ନିଜ ଦଳର ଏକାଧିକ ବିଧାୟକ ଯେତେବେଳେ ମିର୍ଜାଫର ସାଜିଛନ୍ତି ଉଦ୍ଧବଙ୍କ ଗାଦି ଏବେ ଟଳମଳ। ଆଉ ସିଂହାସନ ଯିବା ଆଗରୁ ସେ ଏହାକୁ ପରିତ୍ୟାଗ କରିବାକୁ ଚାହୁଁଥିଲେ ମଧ୍ୟ ଛାଡ଼ିପାରୁ ନାହାନ୍ତି। ଅର୍ଥାତ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାରମ୍ବାର ଉଦ୍ୟମ କରୁଥିଲେ ମଧ୍ୟ ତାହା ଶେଷ ମୂହୁର୍ତ୍ତରେ ଅଟକି ଯାଉଛି।
ଏହି କ୍ରମରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଟଳିବାର ନାଁ ଧରୁ ନଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ବିଦ୍ରୋହୀ ପକ୍ଷ ଦିନକୁ ଦିନ ଅଧିକ ଶକ୍ତିଶାଳି ହେଉଥିବାରୁ ସରକାର ବଞ୍ଚାଇବା ଆଶା କ୍ଷୀଣ ହୋଇପଡ଼ିଛି। ତେଣୁ ସରକାରର ଭାଙ୍ଗିବା ପୂର୍ବରୁ ନିଜ ଆତ୍ମ ସମ୍ମାନକୁ ଜଗି ଆଜି ଉଦ୍ଧବ ଠାକରେ ୨ ଥର ଇସ୍ତଫା ଦେବାକୁ ଉଦ୍ୟମ କରିଥିଲେ। ହେଲେ ୨ ଥର ଯାକ ତାଙ୍କୁ ସହଯୋଗୀ ଦଳ ଏହି ପଦକ୍ଷେପ ନେବାକୁ ବାରଣ କରିଥିଲେ। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ମେଣ୍ଟଦଳରେ ଥିବା ବରିଷ୍ଠ ନେତାମାନେ ଇସ୍ତଫା ଦେବାକୁ ମନା କରିଥିଲେ ।
ଏହା ପୂର୍ବରୁ ଗତ ଜୁନ୍‌ ୨୧ ତାରିଖରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ନିଷ୍ପିତ୍ତ ନେଇଥିଲେ। କାରଣ ଏହି ଦିନ ଆରମ୍ଭ ହୋଇଥିଲା ବିଦ୍ରୋହର ପର୍ବ। ବିଦ୍ରୋହୀ ପକ୍ଷର ନେତା ସାଜିଥିବା ଏକନାଥ ସିନ୍ଦେ ୨୧ ଜଣ ସମର୍ଥକ ବିଧାୟକଙ୍କୁ ଧରି ସୁରଟ ଚାଲିଯାଇଥିଲେ। ଯେଉଁଠି ଏବେ ବିଜେପି ସରକାର ରହିଛି। ଏହି ଦିନ ଉଦ୍ଧବ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସନ୍ଧ୍ୟା ୫ଟାରେ ସେ ଫେସବୁକ୍‌ ଳାଇଭ୍ ଷ୍ଟ୍ରିମିଂରେ ଆସି ଏ ସମ୍ପର୍କରେ ଘୋଷଣା କରିଥାନ୍ତେ। କିନ୍ତୁ ମେଣ୍ଟ ସରକାର ମହାବିକାଶ ଅଘାଡ଼ି ଦଳର ବରିଷ୍ଠ ନେତାମାନେ ତାଙ୍କୁ ବାରଣ କରିଥିଲେ। ପରଦିନ ପୁଣି ଥରେ ସମାନ ନିଷ୍ପତ୍ତି ନେଇଥିଲେ ଉଦ୍ଧବ । ଏମିତି କି ବିଦାୟକାଳୀନ ଅଫିସିଆଲ ବୈଠକ ମଧ୍ୟ ଡକାଇଥିବା ସୂଚନା ମିଳିଛି । କିନ୍ତୁ ବରିଷ୍ଠ ନେତାମନଙ୍କ ପରାମର୍ଶକ୍ରମେ ତାଙ୍କୁ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡ଼ିଥିଲା। କେତେ କସରତ କରି ଶାସନ ଗାଦି ପାଇଥିବା ଉଦ୍ଧବଙ୍କ ପାଇଁ ଏହା ଏବେ ଆରାମ ନୁହେଁ ଯନ୍ତ୍ରଣା ପାଲଟିଛି।

nis-ad
Leave A Reply

Your email address will not be published.