ପ୍ରଥମେ ଚାଳକଙ୍କୁ ସତର୍କ କଲା ପରେ ବିଚ୍ ରାସ୍ତାରେ ଜଳିଗଲା ଟାଟା ନେକ୍ସନ ଇଭି କାର୍

ମୁମ୍ବାଇ: ଭାରତରେ ଇଲେକ୍ଟ୍ରିକ୍ କାରରେ ଅଗ୍ନିକାଣ୍ଡର ପ୍ରଥମ ଘଟଣା ଦେଖିବାକୁ ମିଳିଛି। ଟାଟାର ଲୋକପ୍ରିୟ ତଥା ସର୍ବାଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ସେକ୍ସନ ଇଭିରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଘଟଣାଟିି ଜୁନ ୨୨ରେ ବିଳମ୍ବିତ ରାତି ସମୟରେ ଘଟିଥିବା ସାମ୍ନାକୁ ଆସିଛି। ମୁମ୍ବାଇର ବସଇ ୱେଷ୍ଟରେ ଏହି ଘଟଣା ଘଟିଛି।
ଗାଡିରେ ନିଆଁ ଲାଗିବା ପରେ କମ୍ପାନି ଏକ ବିବୃତି ଜାରି କରି କହିଛି ଯେ ଘଟଣାର ସତ୍ୟତା ଜାଣିବା ପାଇଁ ବର୍ତ୍ତମାନ ବିସ୍ତୃତ ଅନୁସନ୍ଧାନ ଚାଲିଛି। ଏହା ପରେ ଆମେ ବିସ୍ତୃତ ସୂଚନା ସମସ୍ତଙ୍କୁ ଜଣାଇବୁୁ। ଆମେ ଆମର ଗାଡ଼ି ଏବଂ ଗାଡ଼ିର ମାଲିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ।
ଖବର ଅନୁଯାୟୀ, କାରର ମାଲିକ ତାଙ୍କ ଅଫିସରେ କାରକୁ ଚାର୍ଜ କରିଥିଲେ। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ଘର ଆଡକୁ ଯାଉଥିବା ବେଳେ ପ୍ରାୟ ୫ କିଲୋମିଟର ପରେ ସେ କାରରୁ କିଛି ଅଜବ ଶବ୍ଦ ଶୁଣିଥିଲେ। ଏହା ପରେ ତାଙ୍କ ଗାଡ଼ିର ଡ୍ୟାସବୋର୍ଡରେ ଚେତାବନୀ ଆସିବା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ଗାଡି ବନ୍ଦ କରି କାରରୁ ବାହାରକୁ ଯିବାକୁ ଚେତାବନୀ ଦିଆଯାଇଥିଲା। ଏହି ଚେତାବନୀ ଦେଖି ଚାଳକ ତୁରନ୍ତ କାରରୁ ବାହାରିଯିବା ପରେ କାରରେ ନିଆଁ ଲାଗି ଯାଇଥିଲା। ପରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଏଭଳି ଇଭି କାରରେ ନିଆଁ ଲାଗିବା ଘଟଣା ପ୍ରଥମ ହୋଇଥିବା ବେଳେ ଲୋକେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଟାଟା ନେକ୍ସନ୍ ଇଭି ହେଉଛି ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର୍। ଦେଶରେ ପ୍ରତି ମାସରେ ଅତି କମରେ ୨୫୦୦-୩,୦୦୦ ନେକ୍ସନ୍ ଇଭି କାର ବିକ୍ରି କରୁଛି ଟାଟା । କମ୍ପାନି ଏପର୍ଯ୍ୟନ୍ତ ୩୦,୦୦୦ ନେକ୍ସନ୍ ଇଭି ବିକ୍ରି କରିଛି।

nis-ad
Leave A Reply

Your email address will not be published.