ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛି : ଆଜମ ଖାନ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଜମଗଡ଼ ଓ ରାମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଯାଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗୁରବାର ସେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବା ବେଳେ ପୁଲିସ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିଥିବା କହିଛନ୍ତି । ସେହିପରି ରାମପୁର ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଆଜମ ଖାନ କହିଛନ୍ତି ଯେ, ପୁଲିସ ମୋତେ ରାତି ସାରା ବିଭିନ୍ନ ପ୍ରକାର ହଇରାଣ କରିଛି। ଖାଲି ସେତିକି ନୁହଁ ପୁଲିସ ରାଜ୍ୟ ସରକାରଙ୍କ ଗୁଣ୍ଡା ସାଜି ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେବା ସହ ବିନା କାରଣରେ ପୁଲିସ ଷ୍ଟେସନକୁ ନେଉଛି। ସେଠାରେ ପୁଲିସ ସେମାନଙ୍କୁ ପିଟାମରା ମଧ୍ୟ କରିଛି। ପୁଲିସ ଗାଡ଼ି ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରି ଲୋକଙ୍କୁ ଡରାଉଛି। ଲୋକଙ୍କୁ ଡାରାଇ ଭୋଟ ପ୍ରତିଶତକ କମ୍‌ କରିବାକୁ ସରକାର ଚାହୁଁଛନ୍ତି। ଅଭିମାନ ଛଳରେ ଆଜମ ଖାନ୍‌ କହିଛନ୍ତି ଯେ, ମୁଁ ଜଣେ ଅପରାଧୀ। ମୋଠାରୁ ବଡ଼ ଅପରାଧୀ କିଏ ହୋଇ ପାରିବ? ମୁଁ ଏହାକୁ ମାନୁଛି। ତେଣୁ ଆମ ସହ ସରକାର ଯାହା ଚାହିଁବେ କରିପାରିବେ। ମୁଁ କୁକୁଡ଼ା, ଛେଳି, ମଇଁସି ଚୋରି ଅପରାଧରେ ଅପରାଧୀ। ମୋ ସହର ମୁଁ ଚୋର ବୋଲି ମାନିନେନେଛି। ତେଣୁ ଆମ ସହ ଯିଏ ଯାହା ଚାହିଁବ କରିପାରିବ। ରହିବାକୁ ହେଲେ ଆମକୁ ସହିବାକୁ ପଡ଼ିବ ବୋଲି ସେ ସମାଲୋଚନା ଛଳରେ କହିଛନ୍ତି।
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଆଜମଗଡ଼ ଓ ରାମପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଆଗାମି ଦିନରେ ଉପ ନିର୍ବାଚନ ହେବ। ଆଜମଗଡ଼ରୁ ଏମପି ଅଖିଳେଶ ଯାଦବ ଇସ୍ତଫା ଦେବା ପରେ ସଠାରେ ଉପନିର୍ବାଚନ ଆବଶ୍ୟକତା ରହିଛି। କାରଣ ଗତ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ ବିଧାୟକ ଭାବେ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ରାମପୁର ଲୋକସଭା ଆସନରୁ ଏମପି ଭାବେ ଆଜମ ଖନ ଇସ୍ତଫା ଦେବା ପରେ ସେଠାରେ ମଧ୍ୟ ନିର୍ବାଚନ ହେବ। ଏଥିପାଇଁ ଆଜମ ଖାନ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରୁଛନ୍ତି । ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ରହିବା ପରେ ଗତ ମେ ୨୦ ତାରିଖରେ ଜେଲରୁ ଜାମିନରେ ମୁକୁଳିଛନ୍ତି ଆଜମ ଖାନ୍‌ । ଦୀର୍ଘ ୨୭ ମାସ ହେଲା ସେ ଜେଲରେ ଥିଲେ। ତାଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଥିଲା। ଆଜମ ଖାନ ଜେଲରେ ୨୭ ମାସ ହେଲା ରହିଥିଲେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନ ଜିତିଥିଲେ। ସେହିପରି ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସେ ରାମପୁର(ସଦର) ଆସନରୁ ବିଜୟୀ ହୋଇଥିଲେ।

nis-ad
Leave A Reply

Your email address will not be published.