ହତ୍ୟାର ୨ଦିନ ପୂର୍ବରୁ ସିଦ୍ଧୁଙ୍କ ପିଛା କରିଥିଲେ ସୁଟର୍

ଚଣ୍ଡୀଗଡ଼: ମେ’ ୨୯ରେ ନିଜ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଗୁଳି ମାଡ଼ରେ ମୃତ୍ୟୁବରଣ କରିଥିଲେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା। ତାଙ୍କ ହତ୍ୟା ସହ ଜଡ଼ିତ ଏକାଧିକ ଲୋକଙ୍କୁ ଗିରଫ କରି ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ଏବେ ସିଦ୍ଧୁଙ୍କ ହତ୍ୟାକୁ ନେଇ ଆଉ ଏକ ବଡ଼ ଖୁଲାସା ହୋଇଛି। ମେ’ ୨୯ନୁହେଁ ବରଂ ମେ’ ୨୭ରେ ସିଦ୍ଧୁଙ୍କୁ ହତ୍ୟା କରିବାର ଯୋଜନା କରାଯାଇଥିଲା ବୋଲି ସ୍ବୀକାର କରିଛନ୍ତି ମୁଖ୍ୟ ଅଭିଯୁକ୍ତ ପ୍ରିୟବ୍ରତ ଫୌଜି।
ପଚରାଉଚରା ସମୟରେ ପ୍ରିୟବ୍ରତ କହିଛନ୍ତି ଯେ ମେ ୨୭ରେ ସିଦ୍ଧୁ ମୁସେୱାଲା ନିଜ କାରରେ ଏକୁଟିଆ ଘର ଛାଡିଥିଲେ। ଏହା ଜାଣିବା ପରେ ସୁଟର୍ ବୋଲେରୋ ଏବଂ କରୋଲା କାରରେ ସିଦ୍ଧୁଙ୍କ ପିଛା କରିଥିଲେ। ଏକ ମାମଲା ସଂପର୍କରେ ସିଦ୍ଧୁ କୋର୍ଟକୁ ଯାଉଥିଲେ ଏବଂ ସୁଟରଙ୍କ କାର ତାଙ୍କ କାରକୁ ପିଛା କରିବା ଆରମ୍ଭ କରିଥିଲା। କିନ୍ତୁ ସିଦ୍ଧୁ ମୁସେୱାଲାଙ୍କ କାର ଗାଁ ରାସ୍ତା ବଦଳରେ ମୁଖ୍ୟ ରାଜପଥରେ ଦ୍ରୁତ ଗତିରେ ଚାଲିଯିବାରୁ ସୁଟରମାନେ ତାଙ୍କ କାରକୁ ଅନୁସରଣ କରିପାରିନଥିଲେ। ଏହା ଫଳରେ ମେ’ ୨୭ରେ ତାଙ୍କୁ ହତ୍ୟା କରିବାର ଯୋଜନା ବିଫଳ ହୋଇଥିଲା ବୋଲି ପ୍ରିୟବତ ପୁଲିସକୁ କହିଛନ୍ତି।
ତେବେ ସିଦ୍ଧୁ ମୁସେୱାଲା ନଭେମ୍ବରରେ ବିବାହ କରିଥାନ୍ତେ। ଶୁଭଦୀପ ସିଂହ ତଥା ସିଦ୍ଧୁ ମୁସେୱାଲାଙ୍କୁ ଆସନ୍ତା ଜୁନ୍‌ ୧୭ରେ ୨୯ ବର୍ଷ ହୋଇଥାନ୍ତା। ପଞ୍ଜାବର ସାଙ୍ଗରୁର୍‌ ଜିଲ୍ଲାର ଅମନଦୀପ କୌରଙ୍କୁ ‌ସେ ଆସନ୍ତା ନଭେମ୍ବରରେ ବିବାହ କରିଥାନ୍ତେ। ଅମନଦୀପ କୌର କାନାଡ଼ାରେ ରୁହନ୍ତି। ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୁସେୱାଲାଙ୍କ ମା’ ଚରନ କୌର ପୁଅର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କହିଥିଲେ। ମୁସେୱାଲା ଏପ୍ରିଲରେ ବିବାହ ପାଇଁ ଯୋଜନା କରିଥିଲେ। କିନ୍ତୁ ପଂଜାବ ବିଧାନସଭା ନିର୍ବାଚନରେ ହାରିବା ପରେ ସେ ତାଙ୍କ ବିବାହ ନଭେମ୍ବରକୁ ଘୁଞ୍ଚାଇଥିଲେ। ଅମନଦୀପ କୌର ହେଉଛନ୍ତି କାନାଡ଼ାର ଜଣେ ପିଆର୍‌। ୨ ବର୍ଷ ପୂର୍ବେ ସେମାନଙ୍କ ଦେଖା ହୋଇଥିଲା। କିନ୍ତୁ ସବୁ ଯୋଜନା ଯୋଜନାରେ ରହିଗଲା। ପୁଅ ବାହାଘର କରିବାପାଇଁ ମୁସେୱାଲାଙ୍କ ମା’ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ କରିପାରିନାହାନ୍ତି।

nis-ad
Leave A Reply

Your email address will not be published.