ସୁନ୍ଦରଗଡ଼ : ଗମ୍ଭାରିଡ଼ିହି-ବଡବାହାଲପରା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ…

ନିରୋଗ ଓ ଚିନ୍ତାମୁକ୍ତ ଜୀବନଧାରଣ ନିମନ୍ତେ ଯୋଗ ଅପରିହାର୍ଯ୍ୟ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ



ସୁନ୍ଦରଗଡ଼ : “ଯୋଗ” – ମନୁଷ୍ୟର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ। ଏହି ଅମୂଲ୍ୟ ପ୍ରାଚୀନ ପରମ୍ପରା ମାନବ ସମାଜକୁ ନିରୋଗ ଓ ଚିନ୍ତାମୁକ୍ତ ଜୀବନଧାରଣ ନିମନ୍ତେ ସହାୟକ ହୋଇଥାଏ। ପ୍ରତ୍ଯେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଗ୍ର ବିଶ୍ବରେ ୨୧ ଜୁନରେ “ଆନ୍ତର୍ଜାତିକ ଯୋଗଦିବସ” ପାଳନ କରାଯାଉଛି। କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡ ଓ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ମିଳିତ ଉଦ୍ୟମରେ ଆଜି ଗମ୍ଭାରିଡ଼ିହି-ବଡବାହାଲପରା କମ୍ୟୁନିଟି ସେଣ୍ଟର

ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ଓ ବଡବାହାଲପରା ବନ ସୁରକ୍ଷା ସମିତି ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡ ସହାୟତା ପ୍ରଦାନ କରିଥିଲା। ଏହି ଅବସରରେ ଯୋଗାଭ୍ଯାସ ସଙ୍ଗେ ସଙ୍ଗେ ପାରମ୍ପାରିକ କୃଷି ବ୍ୟବସ୍ଥା, ଫସଲରେ ନିୟନ୍ତ୍ରିତ ସାର ପ୍ରୟୋଗ ତଥା ଅଞ୍ଚଳଭିତ୍ତିକ କୃଷି ବନୀକରଣ ଉପରେ ସଚେତନତା ସଭାର ଆୟୋଜନ କରାଯାଇଥିଲା। ସୁନ୍ଦରଗଡ ବନଖଣ୍ଡ ତରଫରୁ ବିଷୟଗତ ବିଶେଷଜ୍ଞ ଗୋପାଳ ଚନ୍ଦ୍ର ଶୁକ୍ଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେବକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ ଆନ୍ତର୍ଜାତୀୟ ଯୋଗ ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ପାରମ୍ପାରିକ ପ୍ରଥାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ମଣିହିରା ନିଜ ବକ୍ତବ୍ୟରେ କହିଥିଲେ ଯେ ଯୋଗ ଆମର ପୁରାତନ ସଂସ୍କୃତି ତଥା ସୁସ୍ଥ ସମାଜ ଓ ସଭ୍ୟତାର ମୂଳପିଣ୍ଡ। ଏଥି ସହିତ ପ୍ରକୃତିଦତ୍ତ ପ୍ରାକୃତିକ ସମ୍ବଳ ଗୁଡିକର ସୁପରିଚାଳନା ଦ୍ଵାରା ହିଁ ମନୁଷ୍ୟ ସମାଜର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ଶ୍ରୀ ମଣିହିରା ମତପ୍ରଦାନ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବରେ କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡର ବୈଜ୍ଞାନିକ ଡେଭିଡ ଜେମ୍ସ ବାଗେ ଯୋଗଦାନ କରି ଅଂଶଗ୍ରହଣ କାରୀଙ୍କୁ ବିଭିନ୍ନ

ଯୋଗାସନ ଓ ପ୍ରାଣାୟାମର ଅଭ୍ଯାସ ଶିଖାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ କୃଷି ପ୍ରଣାଳୀ, ଜୈବିକ ସାର ପ୍ରସ୍ତୁତି ଓ ବ୍ୟବହାର, ବିକଳ୍ପ କୃଷି ବ୍ୟବସ୍ଥା, କୃଷି ବନୀକରଣ, ପୁଷ୍ଟିକର ଖାଦ୍ଯ, ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆୟ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ଅରୁଣ କୁମାର ମିଶ୍ର, କମଳ ଲୋଚନ ମହାନ୍ତ, ସେବକର ଉନ୍ନୟନ ଅଧିକାରୀ ମନୋରଞ୍ଜନ ମଲ୍ଲିକ, ବନପାଳ ହେମବତୀ ସିଂ, ବନରକ୍ଷୀ ନିତ୍ଯାନନ୍ଦ ସୁଣ୍ୟାନୀ ତଥା ଗମ୍ଭାରିଡ଼ିହି-ବଡବାହାଲପରା ବନ ସୁରକ୍ଷା ସମିତି ତରଫରୁ ଗଜାଧର ପ୍ରଧାନ, ନିରଞ୍ଜନ ମାଝୀ, ଧୃବ ଚରଣ ନାଏକ ଓ ଫୁଲମତି ମାଝି ପ୍ରମୁଖ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.