ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ (ଆଇଡ଼ିୱାଇ) ୨୦୨୨ ପାଳିତ

ଭୁବନେଶ୍ୱର(୨୧/୦୬) : ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନ ନିମନ୍ତେ ଯୋଗର ଗୁରୁତ୍ୱକୁ ଉପଲବ୍ଧ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମାବର୍ତ୍ତନ କକ୍ଷରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ବିଜୁ ପଟ୍ଟନାୟକ କଲେଜ, ହାଇଟେକ୍ କଲେଜ, ମଦନପୁରର ଏସ୍ ଏଚ୍ ମହାବିଦ୍ୟାଳୟ, ବାଲିପାଟଣା ସ୍ଥିତ ଏସ୍ ଏ ମହାବିଦ୍ୟାଳୟ, ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ୍ (ଆଇଏମ୍‌ଏସ୍‌), ପିପିଲି କଲେଜ, ଡ଼ି ଆର୍ ନୟାପଲ୍ଲୀ କଲେଜ, ଭୁବନେଶ୍ୱର ସ୍ଥିତ ଲକ୍ଷ୍ୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏତଦ୍‌ବ୍ୟତୀତ, ରୁସା ୨.୦ର ସମସ୍ତ କର୍ମଚାରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସାଧାରଣ ଯୋଗ ନିୟମ (ସିୱାଇପି) ଅନୁଯାୟୀ ୪୫ ମିନିଟ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଯୋଗାଭ୍ୟାସ ପ୍ରଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମ୍ମାନନୀୟା କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପ ସଚିବ ଡ଼ଃ ରମେଶ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି, ଏନଏସ୍‌ଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ସରିତା ପଟେଲ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆନ୍ତର୍ଜାତିକ ଯୋଗ ଦିବସ ଉପରେ ସେମାନଙ୍କର ଧାରଣା ବ୍ୟକ୍ତ କରିବା ସହିତ ସୁସ୍ଥ ଜୀବନଯାପନ ନିମନ୍ତେ ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ କଲ୍ୟାଣ ନିର୍ଦ୍ଦେଶିକା ଶ୍ରୀମତୀ ମିତାଲି ଚିନ୍ନାରୀ ପରିଚାଳନା କରିଥିଲେ ।

ଏହି ଅବସରରେ ପ୍ରଫେସର ଆଚାର୍ଯ୍ୟ କହିଥିଲେ, “ଚଳିତ ବର୍ଷ ମାନବ ଜାତି ପାଇଁ ଯୋଗ ଶୀର୍ଷକ ବିଷୟବସ୍ତୁକୁ ନେଇ ସମସ୍ତଙ୍କ ନିମନ୍ତେ ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନକୁ ସୁନିଶ୍ଚିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏତାଦୃଶ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯୋଗାଭ୍ୟାସ ଦ୍ୱାରା ଜଣେ ମଣିଷ ମାନସିକ, ଆଧ୍ୟାତ୍ମିକ ଏବଂ ଶାରୀରିକ ସୁସ୍ଥତା କରିଥାଏ । ତେଣୁ କେବଳ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୁହେଁ, ବରଂ ପ୍ରତ୍ୟହ କିଛି ସମୟ ଯୋଗାଭ୍ୟାସ ମାନବଜାତିର ଅର୍ନ୍ତଃନିହିତ ବିକାଶ ସାଧନ କରିବା ସହ ସୁସ୍ଥ ଜୀବନଶୈଳୀରେ ସହାୟକ ହୋଇଥାଏ ବୋଲି ଆହୁରି ମଧ୍ୟ ସେ କହିଥିଲେ । ପାଠପଢ଼ା ବୟସରେ ଯୋଗାଭ୍ୟାସ କରିବା ଦ୍ୱାରା ସ୍ମୃତିଶକ୍ତି ପ୍ରଖର ହେବା ସହିତ ସେମାନଙ୍କର ଏକାଗ୍ରତା ଆସିଥାଏ, ଯାହା ସେମାନଙ୍କୁ ବିଦ୍ୟା ଅଧ୍ୟୟନରେ ଅନେକ ସାହାଯ୍ୟ କରିଥାଏ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।”

ଆହୁରି ମଧ୍ୟ, ସଂସ୍କୃତ ଏବଂ ଯୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସୁବାଷ ଚନ୍ଦ୍ର ଦାଶ, ବିହାର ସ୍ଥିତ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ରଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଫେସର ଦାଶ କହିଥିଲେ, “ଉତ୍ତମ ଯୋଗାଭ୍ୟାସ ମାନବଜାତିର ସୁସ୍ଥତାରେ ସହାୟକ ହେବା ସହିତ ଏକ ନିରାମୟ ଜୀବନଯାପନ ନିମନ୍ତେ ଅନେକ ଗୁରୁତ୍ୱ ବହନ କରିଥାଏ ।”

ଏହି କାର୍ଯ୍ୟକ୍ରମର ଆୟୋଜକ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ବ୍ରଜନାରାୟଣ ପାତ୍ର ଓ ଶ୍ରୀଯୁକ୍ତ ରବିନାରାୟଣ ପାତ୍ର, ସ୍ନାତକୋତ୍ତର ଛାତ୍ରାବାସର ଭାରପ୍ରାପ୍ତ ତତ୍ତ୍ୱାବଧାରକ ପ୍ରଫେସର ପ୍ରବୋଧ କୁମାର ହୋତା, ରୁସା ୨.୦ର ସଂଯୋଜକ ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳୀ ଓ ସମସ୍ତ କର୍ମଚାରୀ, ସଂସ୍କୃତ ଏବଂ ଯୋଗ ବିଭାଗର କର୍ମଚାରୀ, ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦାନ କରି ଶରୀରକୁ ସୁସ୍ଥ ରଖିବା ନିମନ୍ତେ ଯୋଗାଭ୍ୟାସ କରିଥିଲେ ।

nis-ad
Leave A Reply

Your email address will not be published.