ଲରେନ୍ସ ବିଷ୍ଣୋଇଙ୍କୁ ପଞ୍ଜାବ ଆଣିବ ପୁଲିସ

ନୂଆଦିଲ୍ଲୀ: ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ତ ଘଟଣାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବ ପଞ୍ଜାବ ପୁଲିସ୍। ଏଥିପାଇଁ ଦିଲ୍ଲୀର ଗୋଟିଏ କୋର୍ଟ ଆଜି ପଞ୍ଜାବ ପୁଲିସକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ତିହାର ଜେଲରେ ଥିବା ଲରେନ୍ସଙ୍କୁ ପଞ୍ଜାବ ଆଣିବା ପୁଲିସ୍ ପାଇଁ ସହଜ ହେବନି। କାରଣ ତାଙ୍କ ଗ୍ୟାଙ୍ଗର ଲୋକମାନେ କେତେବେଳେ ବି ଅଧା ବାଟରେ ହମଲା କରିପାରନ୍ତି। ସେହିପରି ପଞ୍ଜାବ ପୁଲିସ୍‌ ମଧ୍ୟ ତାଙ୍କୁ ଏନକାଉଣ୍ଟର କରିବାର ଆଶଙ୍କା ରହିଛି। ଏହି ସବୁ କାରଣ ପାଇଁ ପଞ୍ଜାବ ସରକାର ଲରେନ୍ସଙ୍କ ସୁରକ୍ଷା ଦାୟିତ୍ୱ ନିଜେ ବୁଝିବେ ବୋଲି କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପୁଲିସ୍ ଲରେନ୍ସଙ୍କୁ ଆଣିବା ପାଇଁ ବୁଲେଟ ପ୍ରୁଫ କାରର ବ୍ୟବସ୍ଥା କରିଛି। ସେହିପରି ତାଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀରୁ ପଞ୍ଜାବ ଆଣିବା ପାଇଁ ୫୦ ଜଣ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ ହେବେ ବୋଲି ପଞ୍ଜାବର ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି।
ପଞ୍ଜାବ ପୁଲିସ୍‌ ପକ୍ଷରୁ କୋର୍ଟରେ ଦୁଇଟି ଆବଦେନ ଦାଖଲ କରାଯାଇଥିଲା। ଗୋଟିଏ ଆବେଦନରେ ଲରେନ୍ସଙ୍କର ଗିରଫଦାରୀ ଓ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଆଉ ଗୋଟିଏ ଆବେଦନ କରାଯାଇଥିଲା। ପ୍ରଥମେ କୋର୍ଟ ପଞ୍ଜାବ ପୁଲିସ୍‌କୁ ଗିରଫଦାରୀ ପାଇଁ ଅନୁମତି ଦେଇଥିଲେ। ସେହିପରି ସନ୍ଧ୍ୟା ସମୟରେ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ମଧ୍ୟ କୋର୍ଟ ସହମତି ପ୍ରକାଶ କରିଛନ୍ତି।
ପିଟିଆଲା ହାଉସ କୋର୍ଟର ଡ୍ୟୁଟି ମାଜିଷ୍ଟ୍ରେଟଙ୍କୁ ପଞ୍ଜାବ ସରକାର କହିଛନ୍ତି ଯେ “ଲରେନ୍ସଙ୍କୁ ଦିଲ୍ଲୀରୁ ପଞ୍ଜାବ ନେବା ପାଇଁ ୫୦ ଜଣ ପୁଲିସ୍ କର୍ମଚାରୀ ରହିବେ। ଦୁଇଟି ବୁଲେଟ ପ୍ରୁଫ କାର ସହ ୧୨ଟି ଅତିରିକ୍ତ ଗାଡ଼ି ଏକା ସାଙ୍ଗରେ ଯିବେ। ଯେଉଁ ରାସ୍ତାରେ ଗାଡ଼ିଗୁଡ଼ିକ ଯିବ, ତା’ର ଭିଡିଓ ଗ୍ରାଫି କରାଯିବ। କୌଣସି ଜେଲରୁ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବେଳେ ଯେଉଁ ସବୁ ନିୟମ ପାଳନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି, ସେସବୁ ବ୍ୟବସ୍ଥା ଗ୍ରହଣ କରାଯିବ।”
ସୂଚନାଯୋଗ୍ୟ, ମେ’ ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସାରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ପରେ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା। ବ୍ରାର ତିହାର ଜେଲରେ ଥିବା ଲରେନ୍ସଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ମୁସେୱାଲାଙ୍କ ହତ୍ୟା ପଛରେ ତାଙ୍କର ମଧ୍ୟ ହାତ ଥିବା ପଞ୍ଜାବ ପୁଲିସ୍‌ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.