ଦୁଇବର୍ଷପରେ ଭକ୍ତଙ୍କ ଗହଣରେ ପଵିତ୍ର ସ୍ନାନଯାତ୍ରା

ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ପାବନ ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ଦେବସ୍ନାନ ଓ ଗଜବେଶ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ଦୁଇ ବର୍ଷ ପରେ ସ୍ନାନଯାତ୍ରାରେ ସାମିଲ ହୋଇଛନ୍ତି ଭକ୍ତ । ଏନେଇ ଭକ୍ତଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି । ରତ୍ନସିଂହାସନ ରୁ ଓଲ୍ଲାଇ ତିନି ଠାକୁର ସ୍ନାନ ମଣ୍ଡପରେ ବିଜେ ହୋଇଛନ୍ତି । ମଙ୍ଗଳବାର ଭୋରରେ ପାରମ୍ପରିକ ରୀତିରେ ମଙ୍ଗଳାର୍ପଣ ପରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୁର୍ତିଙ୍କୁ ଵିରାଜମାନ କରାଇ ସମୁଦ୍ର ଓ ବିଭିନ୍ନ ନଦୀଜଳ ସମିଶ୍ରଣ ସହ ମନ୍ଦିର ପରିସରରେ ଥିବା କୁଅରୁ ୧୦୮ କୁମ୍ଭ ଜଳରେ ସୁବାସିତ ଦ୍ରବ୍ୟ ସହ ଔଷଧ ଯୁକ୍ତ ଜଳକୁ ତିନି ଠାକୁରଙ୍କୁ ସ୍ନାନ କରାଯାଇଛି। ପ୍ରଥମେ ଶ୍ରୀବଳଦେବଜୀଉଙ୍କୁ ୩୩ ଗରା, ଶ୍ରୀ ଜଗନ୍ନାଥ ଙ୍କୁ ୩୫ ଗରା ,ଦେବୀ ସୁଭଦ୍ରାଙ୍କୁ୨୨ ଓ ସୁଦର୍ଶନ ଙ୍କୁ ୧୮କୁମ୍ଭ ଜଳରେ ସ୍ନାନ କରାଯାଇଥିଲା। ପରେଠାକୁରଙ୍କୁ ମଙ୍ଗଳ ଆଳତି, ଅଧରପୋଛା, ଓ ଅବକାଶ ନୀତି ପରେ ଠାକୁରଙ୍କୁ ହାତୀ ଵେଷରେ ସଜ୍ଜିତ କରାଯାଇଥିଲା। ଠାକୁରଙ୍କୁ ଦର୍ଶନ ସକାଶେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ରାତି ୯ ଘଣ୍ଟ ପରେମହାପ୍ରଭୁଙ୍କୁ ଵିଧି ଅନୁସାରେ ଗୁପ୍ତ ଅଣସର ଗର୍ଭ ଗୃହକୁ ପହଣ୍ଡି କରି ଅଣାଯାଇଥିଲା। ସ୍କାନ ମଣ୍ଡପରେ ମନ୍ଦିର ପ୍ରଶାସକ, ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ସାହୁ, ଜଗନ୍ନାଥ ସାହୁ, ମନମୋହନ ଦାଶ, ନିର୍ମଳ ମିଶ୍ର, ପ୍ୟାରୀ ମୋହନ ପାଢି, ସୁଦର୍ଶନ ପାଣିଗ୍ରାହୀ, ହରିହର ପଣ୍ଡା ଙ୍କ ସମେତ ବହୂ କମିଟି ବୃନ୍ଦ ଠାକୁରଙ୍କ ମହାଦେବସ୍ନାନ ଓ ଗଜବେଶକୁ ପରିଚାଳନା କରିଥିଲେ। ସେହିପରି ହିଞ୍ଜିଳିକାଟୁ ରଙ୍ଗୁଣି ସାହି ସ୍ଥିତ ରାଜ ବାଟିକାରେ ଥୁବା ଜଗନ୍ନାଥ ମନ୍ଦିର, ପାଟଣାସାହି ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିର ଓ ହିଞ୍ଜିଳିକାଟୁ ବ୍ଳକ ର ଆଖ ପାଖ ଅଞ୍ଚଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ଗୁଡିକରେ ମହାସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା।

nis-ad
Leave A Reply

Your email address will not be published.