ଅଧ୍ୟାପକଙ୍କ ଆକାଉଂଟରୁ ୧ଲକ୍ଷ ହଡ଼ପ…


ହିଂଜିଳିକାଟୁ : ୧୩ା୬: ଗଂଜାମ ଜିଲା ସୋରଡ଼ାସ୍ଥିତ ଋଷିକୂଲ୍ୟା ଡ଼ିଗ୍ରୀ କଲେଜର ଜଣେ ଅଧ୍ୟାପକଙ୍କ ଆକାଉଂଟରୁ ୧ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ରବିବାର ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଋଷିକୂଲ୍ୟା ଡ଼ିଗ୍ରୀ କଲେଜ ସୋରଡ଼ାର ଅଧ୍ୟାପକ ରମେଶ ଚନ୍ଦ୍ର ପାଢ଼ି ହିଂଜିଳିକାଟୁ କଲେଜ ରୋଡ଼ରେ ରୁହନ୍ତି । ସେ ସୋରଡ଼ା ଏସବିଆଇ ଶାଖାରେ ଜମାଖାତା ଖୋଲି ୟୋନୋ ଏସବିଆଇ ଆପ ମାଧ୍ୟମରେ ଅନଲାଇନରେ ଟଙ୍କା କାରବାର କରନ୍ତି । ଗତ ୭ତାରିଖରେ ଏକ ମେସେଜ ପାଢ଼ିଙ୍କ ମୋବାଇଲକୁ ଆସିଥିଲା ଯେ, ଉକ୍ତ ବ୍ୟାଙ୍କ ଆପ୍‌ଟି ଅପଡ଼େଟ ନକଲେ ଆଗକୁ କାର୍ଯ୍ୟ କରିବ ନାହିଁ । ସେହି ମେସେଜର ଲିଙ୍କରେ କ୍ଲିକ ପରେ ଅଧ୍ୟାପକ ପାଢ଼ିଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଉକ୍ତ ଅଜଣା ଫୋନର ବ୍ୟକ୍ତି ଜଣକ ହେଲପ ଲାଇନ ନମ୍ବରରୁ କହିବା ଭଳି ବିଶ୍ୱାସ ଜମାଇଥିଲେ । ଉକ୍ତ କଲରଙ୍କ କହିବା ପ୍ରକାରେ ଅଧ୍ୟାପକ ପାଢ଼ି ନିଜର ବ୍ୟାଙ୍କ ଆଇଡ଼ି ବ୍ୟବହାର କରିଥିଲେ । ଅଜଣା କଲର କହିବା ପ୍ରକାରେ ନିଜ ମୋବାଇଲରେ ଅନ୍ୟ ଏକ ଆପ ଡ଼ାଉନଲୋଡ଼ କରିଥିଲେ । କିଛି ସମୟ ପରେ ଅଧ୍ୟାପକ ପାଢ଼ିଙ୍କ ଆକାଉଂଟରୁ ୧ଲକ୍ଷ ଟଙ୍କା ଅନ୍ୟ ଏକ ଆକାଉଂଟକୁ ଟ୍ରାନ୍ସଫର ହୋଇଥିବା ମେସେଜ ପାଇଥିଲେ । ଫଳରେ ସେ ଠକାମୀର ଶିକାର ହୋଇଥିବା ଜାଣି ରବିବାର ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ଏଥି ସଂକ୍ରାନ୍ତରେ ଥାନାରେ ନଂ ୨୯୭/୨୨ରେ ଏକ ଠକାମି ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ ।

nis-ad
Leave A Reply

Your email address will not be published.