୪୫ ବେଆଇନ ଲୋନ୍‌ ଆପ୍‌ ଡିଲିଟ କରିବାକୁ ଗୁଗଲକୁ ଚିଠି ଲେଖିଲା EOW

ଭୁବନେଶ୍ୱର : ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ୍‌ର ଅର୍ଥନୈତିକ ଅପରାଧିକ ଶାଖା(EOW)। ଗୁଗଲ ପ୍ଲେ ଷ୍ଟୋରରେ ଥିବା ୪୫ଟି ଫେକ୍‌ ଆପ୍‌କୁ ହଟାଇବାକୁ କହିଛି EOW। ଏହି ସବୁ ଆପ୍ ବେଆଇନ ଭାବେ ଲୋନ୍‌ ଦେବା ସହ ଋଣ ଆଦାୟ କରିବାକୁ ଲୋକଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଉ ନ ଥିବା ଅଭିଯୋଗ ହେଉଛି। ଏଥିଯୋଗୁ ବହୁ ଲୋକ ଆତ୍ମହତ୍ୟା କରିବାକୁ ପଛାଉ ନ ଥିବାରୁ ଏହି ସବୁ ଆପ୍‌କୁ ତୁରନ୍ତ ପ୍ଲେ ଷ୍ଟୋରରୁ ହଟାଇବାକୁ କହିଛି EOW। ଏନେଇ ଆମେରିକାର କାଲିଫର୍ଣ୍ଣିଆସ୍ଥିତି ଗୁଗଲର ଲିଗାଲ ଇନଭେଷ୍ଟିଗେଟିଭ ଟିମ୍‌କୁ ଚିଠି ଲେଖାଯାଇଥିବା ଅର୍ଥନୈତିକ ଅପରାଧିକ ଶାଖାର ବରିଷ୍ଠ ଅଧିକାରୀ କହିଛନ୍ତି।
ଏହି ଲିଷ୍ଟରେ Beloan APP, Go Cash, Go GO loan, INS Loan, ASAN Loan, Fast Cash, Flip Cash, Rupee Wallet, Rupee King, Fast Rupee, Easy Card Loan, Cash Cola, Magic Money Loan ଆଦି ୪୫ଟି ଆପ୍‌ ରହିଛି।
ଏହି ସବୁ ଆପ୍‌ RBI ଦ୍ୱାରା ପଞ୍ଜୀକୃତ ହୋଇ ନ ଥିବା ବେଳେ ଲୋକଙ୍କୁ ଅଧିକ ସୁଧ ହାରରେ ସ୍ୱଳ୍ପକାଳୀନ ଋଣ ଯୋଗାଇ ଦେଉଛନ୍ତି। ଲୋନ୍‌ ନେଇ ପରିଶୋଧ କରି ନ ପାରିଲେ ଏହି ଆପ୍‌ର କର୍ମକର୍ତ୍ତା ତାହାକୁ ଆଦାୟ କରିବାକୁ ବେଆଇନ୍‌ ପନ୍ଥା ଗ୍ରହଣ କରିବା ସହ ଲୋନ୍ କରୁଥିବା ବ୍ୟକ୍ତିଙ୍କୁ ଧମକଚମକ ଦେଉଛନ୍ତି। ଏଥିସହ ଅଶାଳୀନ ଭାଷା ପ୍ରୟୋଗ କରିବାକୁ ପଛାଉ ନାହାନ୍ତି। ଲୋନ୍‌ ଦେବା ବେଳେ ଏହି ଆପ୍‌ସବୁ ଋଣ ଗ୍ରହୀତାଙ୍କ ସମେତ ତାଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ ନମ୍ବର ମଧ୍ୟ ହାତେଇ ନେଉଛନ୍ତି। ଫଳରେ କେହି ଋଣ ପରିଶୋଧ କରି ନ ପାରିଲେ ସେମାନଙ୍କ ବନ୍ଧୁବାନ୍ଧବଙ୍କୁ ଫୋନ୍‌ କରି ହଇରାଣ କରିବାକୁ ପଛାଉ ନାହାନ୍ତି ଆପ୍‌ର କର୍ମକର୍ତ୍ତା। ଏପରି ମାନସିକ ନିର୍ଯାତନାର ଶିକାର ହୋଇ ବିଭିନ୍ନ ସ୍ଥାନରେ ଲୋକେ ଆତ୍ମହତ୍ୟା କରୁଥିବା ଖବର ସାମନାକୁ ଆସିଛି।
ଏପରି ଘଟଣା ନେଇ ଅଭିଯୋଗ ହେବା ପରେ EOW ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ମାତ୍ର ଉକ୍ତ ଆପ୍‌ ଡେଭଲପର କିମ୍ବା ଅପରେଟରଙ୍କ ସହ ଯୋଗାଯୋଗର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏସବୁ ଆପ୍‌କୁ ତୁରନ୍ତ ଡିଲିଟ କରିବାକୁ ଗୁଗଲକୁ କୁହାଯାଇଛି। ଆପ୍‌ ଡେଭଲପର ତଥା ଅପରେଟରଙ୍କ ସମ୍ପୂର୍ଣ୍ଣ ସୂଚନା ଦିଆ ନ ଗଲେ ଏପରି ଆପ୍‌କୁ ଅପରେଟ କରିବାକୁ ଅନୁମତି ନ ଦେବାକୁ ଗୁଗଲକୁ କୁହାଯାଇଛି।
କିଛି ଦିନ ପୂର୍ବେ ଏପରି ଆପ୍‌ ପରିଚାଳନା କରୁଥିବା ୩ ଜଣଙ୍କୁ ଭିନ୍ନ ଭିନ୍ନ ରାଜ୍ୟରୁ ଗିରଫ କରାଯାଇଥିବା ବେଳେ ଏବେ ଏହା ଉପରେ ତ୍ୱରିତ୍ୱ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି EOW।

nis-ad
Leave A Reply

Your email address will not be published.