ପରାଜୟରୁ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ପରାଜୟରୁ ଟିମ୍‌ ଇଣ୍ଡିଆ ତା’ର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଅଭିଯାନ ଆରମ୍ଭ କରିଛି। ଏହି ପରାଜୟ ସହ ଟିମ ଇଣ୍ଡିଆର ବିଜୟ ଧାରାରେ ବ୍ରେକ ଲାଗିଛି। ଏଯାଏ ଟିମ ଇଣ୍ଡିଆ ଲଗାତର ୧୨ଟି ଟି-୨୦ ମ୍ୟାଚ୍‌ ଜିତିଥିଲା। ହେଲେ ଆଜି ଦକ୍ଷିଣ ଆଫ୍ରିକା ଦଳର ବିଜୟ ରଥକୁ ଅଟକାଇ ଦେଇଛି। ସେହିପରି ପ୍ରଥମଥର ପାଇଁ ଋଷଭ ପନ୍ତ ଭାରତର କମାଣ ସମ୍ଭାଳିଥିଲେ ହେଁ ପରାଜୟରୁ ତାଙ୍କ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ ହୋଇଛି।
ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ବିଶାଳ ୨୧୧ ରନ୍‌ କରିଥିଲେ ହେଁ ଦକ୍ଷିଣ ଆଫ୍ରିକା ୫ ବଲ ପୂର୍ବରୁ ମାତ୍ର ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଡାଭିଡ ମିଲର ଓ ରାସି ଭାନ ଡେର ଡୁସେନ ଦକ୍ଷିଣ ଆଫ୍ରିକା ବିଜୟର ବିନ୍ଧାଣି ସାଜିଛନ୍ତି। ଉଭୟ ୪ର୍ଥ ୱିକେଟ ପାଇଁ ଦମଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଛନ୍ତ। ଏହି ପରାଜୟ ସହ ଟିମ୍‌ ଇଣ୍ଡିଆ ୫ ଟିକିଆ ଟି-୨୦ ସିରିଜ୍‌ରେ ୦-୧ରେ ପଛୁଆ ହୋଇଯାଇଛି। ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ କଟକର ବାରବାଟୀ ଷ୍ଟାଡିୟମରେ ଖେଳିବେ।
ଈଶାନ କିଶନଙ୍କ ବିସ୍ଫୋରକ ୭୬ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୧୨ ବଲରେ ୩୧ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୨୧୧ ରନ୍‌ କରିଥିଲା। ୨୧୨ ରନ୍‌ର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ୨୨ ରନ୍‌ରେ ଅଧିନାୟକ ତେମ୍ବା ବଭୁମାଙ୍କୁ ହରାଇଥିଲା। ତାଙ୍କ ୱିକେଟ ଭୁବନେଶ୍ୱର କୁମାର ନେଇଥିଲେ। କ୍ୱିଣ୍ଟନ ଡି’କକ ଭଲ ଲୟରେ ଥିଲେ ମଧ୍ୟ କେବଳ ୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।
୧୩ ବଲରେ ୨୯ ରନ୍‌ର ଇନିଂସ ଖେଳିଥିବା ଡ୍ୱେନ ପ୍ରିଟୋରିୟସଙ୍କୁ ଆଉଟ କରି ହର୍ଷ ପଟେଲ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲିବାକୁ ଚେଷ୍ଟା କରିଥିଲେ। ଦକ୍ଷିଣ ଆଫ୍ରିକା ମଧ୍ୟ ୮୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଦମଦାର ବ୍ୟାଟିଂ କରିଥିବା ମିଲର ଆଜିର ମ୍ୟାଚ୍‌ରେ ମଧ୍ୟ ନିଜର ଜଲୱା ଦେଖାଇଥିଲେ। ସେ ଭାରତୀୟ ବୋଲରମାନଙ୍କୁ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ।
ଏଥିସହ ୨୨ ବଲରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତାଙ୍କୁ ଡୁସେନ ଭରପୂର ସହଯୋଗୀ କରି ୩୭ ବଲରେ ନିଜର ୫୦ ରନ ହାସଲ କରିଥିଲେ। ଏହାପରେ ସେ ବିସ୍ଫୋରକ ବ୍ୟାଟିଂ କରି ୧୭ ତମ ଓଭରରେ ଭୁବନେଶ୍ୱର କୁମାରଙ୍କୁ କଡ଼ା ପ୍ରହାର କରିଥିଲେ। ଏହି ଓଭର୍‌ରେ ସେ ୨ଟି ଚୌକା ଓ ଗୋଟିଏ ଛକା ମାରିବାରୁ ଦକ୍ଷିଣ ଆଫ୍ରିକା ୧୮ ଓଭର ଶେଷ ସୁଦ୍ଧା ୨୦୦ ରନ୍‌ରେ ପହଞ୍ଚି ଯାଇଥିଲା। ଶେଷ ୨ ଓଭର୍‌ରେ ଭ୍ରମଣକାରୀ ଟିମ୍‌କୁ ଜିତିବା ପାଇଁ ୧୨ ରନ୍‌ର ଆବଶ୍ୟକ ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ହର୍ଷଲ ପଟେଲ। ସେ ଦମଦାର ବୋଲିଂ କରିଥିଲେ ମଧ୍ୟ ୫ମ ବଲରେ ଲେଗବାଇ ଜରିଆରେ ୪ ରନ୍‌ ହୋଇଯାଇଥିଲା। ଶେଷରେ ଦକ୍ଷିଣ ଆଫ୍ରିକାକୁ ୬ ବଲରେ ୪ ରନ୍‌ର ଆବଶ୍ୟକ ରହିଥିଲା। ଶେଷ ଓଭର୍‌ର ପ୍ରଥମ ବଲରେ ହିଁ ଡୁସେନ ଚୌକା ମାରି ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ଜିତାଇଥିଲେ। ମିଲର ଶେଷ ଯାଏ ୩୧ ବଲରେ ୬୪ ଓ ଡୁସେନ ୪୬ ବଲରେ ୭୫ ରନ୍‌ କରି ଅପରାଜିତ ରହିଥିଲେ।

nis-ad
Leave A Reply

Your email address will not be published.