ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ: ୪,୮୦୯ ସାଂସଦ, ବିଧାୟକ ଭୋଟ୍ ଦେବେ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି ଏହା ଘୋଷଣା କରିଛନ୍ତି। ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କୋବିନ୍ଦଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ୧୮ରେ ଭୋଟ୍‌ ଗ୍ରହଣ ହେବ। ସାଂସଦ ଏବଂ ବିଧାୟକମାନଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବ। ଇଲେକଟୋରାଲ କଲେଜରେ ମୋଟ୍‌ ୪,୮୦୯ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ସାଂସଦ ଥିବା ବେଳେ ୪୦୩୩ ଜଣ ହେଉଛନ୍ତି ବିଧାୟକ।
ନିର୍ବାଚନ କମିସନ ସ୍ପଷ୍ଟ କରିଦେଇଛନ୍ତି ‌େଯ କୌଣସି ରାଜନୈତିକ ଦଳ ନିଜ ସଦସ୍ୟଙ୍କୁ ହ୍ବିପ୍‌ ଜାରି କରିପାରିବେନି। ଯେଉଁମାନେ ପ୍ରିଭେଣ୍ଟିଭ୍‌ ଡିଟେନସନ୍‌ରେ ଅଛନ୍ତି ସେମାନେ ଭୋଟ୍‌ ଦେଇପାରିବେ ଏବଂ ଯେଉଁମାନ‌େ ଜେଲ୍‌ରେ ଅଛନ୍ତି ସେମାନେ ପାରୋଲ୍‌ ପାଇଁ ଆବେଦନ କରିବେ। ଯଦି ପାରୋଲ୍‌ ମଂଜୁର ହୁଏ ତେବେ ସେମାନେ ଭୋଟ୍‌ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି।
କମିସନଙ୍କ ସୂଚନା ଅନୁଯାୟୀ ଜୁନ୍‌ ୧୫ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ। ଜୁନ୍‌ ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଜୁନ୍‌ ୩୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଜୁଲାଇ ୨ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଆବଶ୍ୟକ ପଡ଼ିଲେ ଜୁଲାଇ ୧୮ରେ ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି କରାଯିବ। ସଂସଦ ଭବନ ଏବଂ ରାଜ୍ୟ ବିଧାନସଭା ପରିସରରେ ଭୋଟ୍‌ ଗ୍ରହଣ କରାଯିବ। ସାଂସଦମାନେ ସଂସଦରେ ଭୋଟ୍‌ ଦେବେ ଏବଂ ବିଧାୟକମାନେ ନିଜ ନିଜ ରାଜ୍ୟ ବିଧାନସଭାରେ ଭୋଟ୍‌ ଦେବେ।
ଇଲେକ୍ଟୋରାଲ କଲେଜ୍‌ ସଦସ୍ୟଙ୍କ ଦ୍ବାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ସଦସ୍ୟ ଏବଂ ସମସ୍ତ ରାଜ୍ୟ ବିଧାନସଭା ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଇଲେକ୍ଟୋରାଲ୍ କଲେଜ୍‌ ଗଠିତ। କୌଣସି ମନୋନୀତ ସଦସ୍ୟ ଇଲେକ୍ଟୋରାଲ୍‌ କଲେଜ୍‌ରେ ସାମିଲ ହୋଇନଥାନ୍ତି। ତେଣୁ ସେମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ। ବିଧାନ ପରିଷଦ ସଦସ୍ୟମାନେ ବି ରାଷ୍ଟ୍ରପତି ନିର୍ବା‌ଚନରେ ଅଂଶଗ୍ରହଣ କରନ୍ତିନି। ଏଥର ବିଧାୟକମାନଙ୍କର ମୋଟ୍‌ ଭୋଟ୍‌ ମୂଲ୍ୟ‌ ୫,୪୩,୨୩୧ ଏବଂ ସାଂସଦମାନଙ୍କର ମୋଟ୍‌ ଭୋଟ୍‌ ମୂଲ୍ୟ ୫,୪୩,୨୦୦ ଥିବା ବେଳେ ଇଲେକ୍ଟୋରାଲ କଲେଜ (ନିର୍ବାଚକ ମଣ୍ଡଳ)ର ମୋଟ୍‌ ଭୋଟ୍‌ ମୂଲ୍ୟ ହେଉଛି ୧୦,୮୬,୪୩୧। ୨୦୧୭ ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ଏବଂ ଜୁଲାଇ ୨୦ରେ ଗଣତି ହୋଇଥିଲା। ପୂର୍ବ ନିର୍ବାଚନରେ ଏନ୍‌ଡିଏର ପ୍ରଦର୍ଶନ ବହୁତ ଭଲ ଥିଲା। ରାମନାଥ କୋବିନ୍ଦଙ୍କୁ ୬୫.୩୫ ପ୍ରତିଶତ ଭୋଟ୍‌ ମିଳିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦ୍ବିତୀୟ ସୁଯୋଗ ନମିଳିପାରେ। ଏଯାବତ କେବଳ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଦୁଇ ଥର ନିର୍ବାଚିତ ହୋଇଛନ୍ତି।

nis-ad
Leave A Reply

Your email address will not be published.