୧୦ରେ ପିସିସି କାର୍ଯ୍ୟଭାର ଗ୍ରହଣ କରିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିବେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ନୂଆଦିଲ୍ଲୀରୁ ବିମାନରେ ଆସି ସକାଳ ୧୦ଟା ୩୦ରେ ପହଞ୍ଚିବେ ଶରତ । ସେଠାରୁ ସମର୍ଥକମାନେ ତାଙ୍କୁ ଶୋଭାଯାତ୍ରାରେ ନେଇ ଆସିବେ । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ୧୧ଟା ୩୦ ସୁଦ୍ଧା କାର୍ଯ୍ୟଭାର ଗ୍ରହଣ କରିବେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସମସ୍ତ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ସମ୍ୱୋଧିତ କରିବେ ବୋଲି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ ସୂଚନା ଦେଇଛନ୍ତି ।

ସେହିପରି ଚଳିତ ମାସ ୧ ଓ ୨ ତାରିଖରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସରେ ହୋଇଥିବା ନବ ସଂକଳ୍ପ ଚିନ୍ତନ ଶିବିରରେ ଗ୍ରହଣ ହୋଇଥିବା ବିଭିନ୍ନ ପ୍ରସ୍ତାବଗୁଡିକୁ ଏଆଇସିସିକୁ ପଠାଯାଇଛି । ଯାହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ସବୁ ଜିଲ୍ଲାରେ ଚିନ୍ତନ ଶିବିର ଅନୁଷ୍ଠିତ ହେବ । ସେଠାରେ ଆଲୋଚନା ପରେ ଗୃହିତ ହୋଇଥିବା ପ୍ରସ୍ତାବକୁ ପିସିସିକୁ ପଠାଯିବ । ଯାହାକୁ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଅପରପକ୍ଷେ, ଏଆଇସିସି ଚିନ୍ତନ ଶିବିରରେ ରାଜନୈତିକ କମିଟି, ଅର୍ଥନୀତି କମିଟି ଓ ସାମାଜିକ ନ୍ୟାୟ ଭଳି ୬ଟି କମିଟିର ପୃଥକ ଭାବେ ବୈଠକ ଅନୁଷ୍ଠିତ ହେବା ଭଳି ଓଡ଼ିଶାର ଚିନ୍ତନ ଶିବିରରେ ମଧ୍ୟ ୬ଟି କମିଟି ଗଠିତ ହୋଇଥିଲା । ଏହି ୬ଟି କମିଟିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପଞ୍ଚାନନ କାନୁନଗୋ ପ୍ରମୁଖ ବହୁ ବରିଷ୍ଠ କଂଗ୍ରେସ ନେତା ସ୍ଥାନ ପାଇଥିଲେ । ସେମାନେ ଆଲୋଚନା କରିଥିବା ପ୍ରସ୍ତାବଗୁଡିକ ଏଆଇସିସିକୁ ପଠାଯାଇଛି । ଆଗାମୀ ଦିନରେ ସେଗୁଡିକୁ କାର୍ଯ୍ୟକାରୀ କରି ୨୦୨୪ ପାଇଁ ଜୋରଦାର ଲଢେଇ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

nis-ad
Leave A Reply

Your email address will not be published.