କଶ୍ମୀରରେ ସଂପୂର୍ଣ୍ଣ ଫେଲ୍‌ ମାରିଛି ବିଜେପି

ନୂଆଦିଲ୍ଲୀ: ‘କଶ୍ମୀରକୁ ପୁଣି ଥରେ ଫେରୁଛି ୧୯୯୦ ଦଶକର ସ୍ଥିତି। ବିଜେପି ପୂରାପୁରି କଶ୍ମୀରରେ ଫେଲ୍‌ ମାରିଛି। ଏମାନଙ୍କ ପାଖରେ ଆତଙ୍କବାଦୀ ଆକ୍ରମଣ ରୋକିବା ପାଇଁ କୌଣସି ପ୍ଲାନ୍‌ ନାହିଁ। ବିଜେପି କେବଳ ମିଟିଂ ଉପରେ ମିଟିଂ କରୁଛି। ଏତେ ଜଣ ସାଧାରଣ ନିରୀହ ଲୋକ ସହିଦ ହେବା ପରେ ମଧ୍ୟ ବିଜେପି ସରକାର ପାଖରେ କୌଣସି ଯୋଜନା ନାହିଁ। ଭୟରେ ଘାଟି ଛାଡିବାକୁ ବାଧ୍ୟ ହୋଉଛନ୍ତି କଶ୍ମୀର ପଣ୍ଡିତ।’ ଦିଲ୍ଲୀର ଜନ୍ତରମନ୍ତରରେ ଜନଆକ୍ରାଶ ରାଲିକୁ ସମ୍ବୋନ୍ଧିତ କରି ବିଜେପି ଉପରେ ଆଜି କିଛି ଏଭଳି ବର୍ଷିଛନ୍ତି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।
ଘାଟିରେ ଲଗାତର ଜାରି ରହିଛି ଟାର୍ଗେଟ୍‌ କିଲିଂ। କଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିକ୍ଷୋଭ ସ୍ଥଳରୁ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି।
କେଜ୍ରିୱାଲ କହିଛନ୍ତି ଘାଟିରେ ଯେଭଳି ଭାବେ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି ତାହା ଅମାନବୀୟ। ହେଲେ କେନ୍ଦ୍ର ସରକାର ଏହି ସମୟରେ ବୈଠକ ପରେ ବୈଠକ କରିବା ପରିବର୍ତ୍ତେ ଆକ୍ସନ ମୋଡକୁ ଆସିବା ଆବଶ୍ୟକ। ଏହାସହ କଶ୍ମୀର ପଣ୍ଡିତଙ୍କ ଦାବି ପୂରଣ କରିବା ସହ ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ଦାବି ଉଠାଇଛନ୍ତି କେଜ୍ରିୱାଲ।
କେନ୍ଦ୍ର ସରକାର କଶ୍ମୀର ପଣ୍ଡିତମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। କଶ୍ମୀରକୁ ନେଇ ସରକାରଙ୍କ ପାଖରେ କୌଣସି ସ୍ପଷ୍ଟ ଯୋଜନା ନଥିବାରୁ ସେଠାରେ ଏଭଳି ଭାବେ କଶ୍ମୀର ପଣ୍ଡିତମାନେ ହତ୍ୟାର ଶିକାର ହେଉଛନ୍ତି। ବର୍ତ୍ତମାନ କଶ୍ମୀରରେ ୧୯୯୦ର ସ୍ଥିତି ପୁଣି ଫେରି ଆସିଛିବୋଲି କ୍ରେଜ୍ରିୱାଲ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି।
ଏହାସହ ଯେତେବେଳେ କେନ୍ଦ୍ରରେ ବିଜେପି ସରକାର ଆସୁଛି ସେତେବେଳେ କଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ ହୋଇଛି ଓ ସେମାନେ ଭିଟାମାଟି ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ। କଶ୍ମୀର ପଣ୍ଡିତଙ୍କ ନରସଂହାର ହେଉଥିବା ବେଳେ ତାଙ୍କୁ ସ୍ୱର ଉଠାଇବାକୁ ଅନୁମତି ନଦେଇ ତାଙ୍କ ଶିବିରରେ ତାଲା ପକାଇ ଦିଆଯାଉଛି। କଶ୍ମୀର ପଣ୍ଡିତମାନେ କେବଳ ନିଜ ସୁରକ୍ଷା ମାଗୁଥିବା ଆପ୍‌ ମୁଖ୍ୟ କହିଛନ୍ତି।
ଘାଟିରେ ଗଲା କିଛିଦିନ ହେବ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତମାନଙ୍କୁ ହିଁ ଟାର୍ଗେଟ କରି ହତ୍ୟା କରିବାରେ ଲାଗିଛନ୍ତି। ଏହି କାରଣରୁ ହଜାର ହଜାର କଶ୍ମୀର ପଣ୍ଡିତ ଘାଟିଛାଡି ପଳାୟନ କରୁଛନ୍ତି। ସେପଟେ କିଛି କଶ୍ମୀର ପଣ୍ଡିତ ବହୁଦିନ ଧରି ସୁରକ୍ଷା ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ ଡୋଭାଲ ଓ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କଶ୍ମୀର ପଣ୍ଡିତ ସୁରକ୍ଷାକୁ ନେଇ ଏଥିରେ ଆଲୋଚନା କରାଯାଇଥିଲା। ଏହାପରେ ୧୭୭ ଜଣ କଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ବଦଳି କରାଯାଇଥିଲା।

nis-ad
Leave A Reply

Your email address will not be published.