ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଡିଏମକେ ସବୁଠୁ ଧନୀ, ତୃତୀୟରେ ବିଜେଡି

ନୂଆଦିଲ୍ଲୀ: ଦେଶରେ ଥିବା ୩୧ଟି ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ତାମିଲନାଡୁର କ୍ଷମତାସୀନ ଡିଏମକେ ସବୁଠାରୁ ଅଧିକ ଧନୀ। ୨୦୨୦-୨୧ରେ ଉଭୟ ଆୟ ଓ ବ୍ୟୟରେ ଡିଏମକେ ଦେଶର ବାକି ଆଞ୍ଚଳିକ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି। ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ(ଏଡିଆର) ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ ପାଇଛି।
ଏଡିଆର ରାଜନୀତିକ ଦଳର ଆୟ ଓ ବ୍ୟୟର ହିସାବ କରି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ୨୦୨୦-୨୧ ବର୍ଷରେ ବିଭିନ୍ନ ସୂତ୍ରରୁ ୧୫୦ କୋଟି ଟଙ୍କା ଆୟ କରିଥିଲା। ହେଲେ ଦଳ ୨୧୮ କୋଟି ଟଙ୍କା ଖର୍ଚ୍ଚ କରିଛି। ଆର୍ଥିକ ବର୍ଷ ୨୦୨୦ ତୁଳନାରେ ୨୦୨୧ରେ ଡିଏମକେର ଆୟ ପ୍ରାୟ ୮୫ କୋଟି ବଢ଼ିଛି। ଏହା ପଛକୁ ଜେଡି(ୟୁ) ଓ ୱାଏସ୍‌ଆର କଂଗ୍ରେସ ରହିଛି।
୨୦୨୧ ଆର୍ଥିକ ବର୍ଷରେ ମୋଟ ୩୧ଟି ଆଞ୍ଚଳିକ ଦଳର ଆୟ ୫୨୯ କୋଟି ଟଙ୍କା। ଏହା ମଧ୍ୟରୁ ୨୮% ଆୟ ଡିଏମକେ କରିଛି। ସେହିପରି ୨୦% ଭାଗ ଅର୍ଥାତ ୧୦୮ କୋଟି ସହ ୱାଇଏସ୍‌ଆର କଂଗ୍ରେସ ଦ୍ୱିତୀୟରେ ଥିବା ବେଳେ ଓଡ଼ିଶାର କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡି ୧୩% ଅର୍ଥାତ ୭୩ କୋଟି ଟଙ୍କା ଆୟ କରିଛି। ୨୦୨୦-୨୧ରେ ୫ଟି ଆଞ୍ଚଳିକ ଦଳ ନିର୍ବାଚନୀ ବଣ୍ଡ ଜରିଆରେ ୨୫୦.୬୦ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଥିବା ଘୋଷଣା କରିଛନ୍ତି।
୨୦୨୧ରେ ସବୁଠାର ଅଧିକ ଖର୍ଚ୍ଚ କରିଥିବା ଦଳଗୁଡ଼ିକ ମଧ୍ୟରେ ଡିଏମକେ ୧ନଂରେ ରହିଛି। ଡିଏମକେ ୨୧୮.୪୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଟିଡିପି ୫୪.୭୬୯ କୋଟି, ଏଆଇଏଡିଏମକେ ୪୨.୩୭ କୋଟି, ଜେଡିୟୁ ୨୪.୩୫ କୋଟି ଓ ଟିଆରଏସ୍‌ ୨୨.୩୫ କୋଟି ଟଙ୍କା ବ୍ୟୟ କରିଛନ୍ତି। ଆୟ ଶ୍ରେଣୀର ଟପ୍‌ ୫ ଆଞ୍ଚଳିକ ଦଳ ଗୋଟିଏ ବର୍ଷରେ ମୋଟ ୪୩୪.୨୫୫ କୋଟି ଟଙ୍କା ପାଇଛନ୍ତି। ଏହାର ଅର୍ଥ ମୋଟ ଆୟର ୮୨% ଅର୍ଥ ଏହି ୫ ରାଜନୀତିକ ଦଳଗୁଡ଼ିକ ପାଖରେ ରହିଛି।
ୱାଇଏସ୍‌ଆର ଆୟ କରିଥିବା ତାଲିକାରେ ଦ୍ୱିତୀୟ ଥିଲେ ମଧ୍ୟ ଦଳର ୯୯% ଅର୍ଥ ଖର୍ଚ୍ଚ ହୋଇ ନାହିଁ। ସେହିପରି ବିଜେଡି ପାଇଥିବା ୯୦% ଅର୍ଥ ଖର୍ଚ୍ଚ କରିବାକୁ ଅକ୍ଷମ ହୋଇଛି। ଏଆଇଏମଆଇଏ ୮୮% ଅର୍ଥ ଖର୍ଚ୍ଚ କରିପାରି ନାହିଁ। ଆଞ୍ଚଳିକ ଦଳଗୁଡ଼ିକ ୨୫୦.୬୦ କୋଟି ଅର୍ଥାତ ୪୭% ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ପାଇଛନ୍ତି। ବାକି ୧୨୬.୨୬୫ କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ମିଳିଥିବା ରିପୋର୍ଟରେ କୁହାଯାଇଛି।

nis-ad
Leave A Reply

Your email address will not be published.