ଘଟଗାଁ ମା’ ତାରିଣୀଙ୍କ ପୀଠ ର ହେବ ନବ କଳେବର, ୪୦ କୋଟି ବ୍ୟୟ ଅଟକଳ

ଘଟଗାଁ: ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପୀଠ ଝଲସିବ । ମା’ଙ୍କ ମନ୍ଦିର ଏବଂ ତା’ର ପରିସରର ହେବ ନବ କଳେବର । ସଜେଇ ହେବ ମନ୍ଦିର ପ୍ରାଙ୍ଗଣ ଓ ପରିସର । ମନ୍ଦିର ନିକଟରେ ଥିବା ପୁରୁଣା ପୁଷ୍କରିଣୀର ପୁନରୁଦ୍ଧାର ହେବ । ଏହାସହିତ ଭକ୍ତଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯିବ ।

ଏହି ପୀଠ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ପାଇବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଖୁବ୍‌ଶୀଘ୍ର ଏହି କାମ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ୫-ଟି ଅଧୀନ ରୂପାନ୍ତରୀକରଣ ପର୍ବରେ ସାମିଲ ହେବା ପରେ ଘଟଗାଁ ଧାର୍ମିକ ପର୍ଯ୍ୟଟନସ୍ଥଳୀ ବଳ ପାଇବ ବୋଲି ମତପ୍ରକାଶ ପାଇଛି ।

ପୂର୍ବ ପ୍ରସ୍ତୁତ ନକ୍ସା ଅନୁସାରେ ୪୦ ଦିନରେ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସୂଚନା ମିଳିଛି । ଓଡ଼ିଶାର ଅନ୍ୟ ପ୍ରମୁଖ ମନ୍ଦିର ଭଳି ଘଟଗାଁ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଏହି ପଦକ୍ଷେପ ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

ମା’ ତାରିଣୀ ମନ୍ଦିର, ମନ୍ଦିର ପରିସର ଓ ବାହାରର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ ପାଇଁ ଏକ ସର୍ଭେ କରାଯାଇଥିଲା । ଏହାପରେ ନକ୍ସା ପ୍ରସ୍ତୁତ ହୋଇଥିଲା । ପୀଠର ନବକଳେବର ପାଇଁ ପ୍ରାୟ ୪ ଶହ କୋଟି ଟଙ୍କା ବ୍ୟୟବରାଦ ହେବାର ଥିଲା । ପୁରୀ ଶ୍ରୀ ମନ୍ଦିର ପରେ ତାରିଣୀ ପୀଠର ନବକଳେବର ପାଇଁ ଦ୍ୱିତୀୟ ସର୍ବାଧିକ ଅନୁଦାନ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ହେବ ଯୋଜନା ପ୍ରସ୍ତୁତ ହୋଇଥିଲେ ବି ଅନୁଦାନ ମିଳିବାରେ ବିଳମ୍ବ ଯୋଗୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ବିଳମ୍ବରେ ହେଉ ପଛେ ତାରିଣୀ ମନ୍ଦିର ଏବଂ ତାର ଚତୁଃପାଶ୍ୱର୍ ବିକାଶ ପାଇଁ ୪୦ କୋଟି ବ୍ୟୟ ଅଟକଳ କରାଯାଇଛି । କିନ୍ତୁ ୪ ଶହ କୋଟି ବ୍ୟୟବରାଦ ସ୍ଥାନରେ ମାତ୍ର ୪୦ କୋଟି ଅଟକଳ ହୋଇଥିବାରୁ ଏହି ଅର୍ଥରେ ଯୋଜନା ଅନୁସାରେ କାର୍ଯ୍ୟ ହୋଇପାରିବ କି ନାହିଁ, ସେନେଇ ଚର୍ଚ୍ଚା ହେଉଛି ।

ଅଟକଳ ହୋଇଥିବା ୪୦ କୋଟି ଟଙ୍କାରେ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ସହ ନିକଟରେ ଥିବା ପୁରୁଣା ପୁଷ୍କରିଣୀର ପୁନରୁଦ୍ଧାର କରାଯିବ । ଭକ୍ତଙ୍କ ପାଇଁ ଶୌଚାଳୟ, ସ୍ୱତନ୍ତ୍ର ପ୍ରବେଶ ପଥ, ପ୍ରସ୍ଥାନ ପଥ କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାର୍କିଂ ପାଇଁ ବୃହତ୍‌ ଜାଗା ବ୍ୟବସ୍ଥା କରାଯିବ । ପାର୍କିଂ ନିକଟରେ ମଧ୍ୟ ଶୌଚାଳୟ ରହିବ । ମୁଖ୍ୟ ମନ୍ଦିର ଚାରିପଟେ ସୁନ୍ଦର ବଗିଚା କରାଯିବ । ଏହାବ୍ୟତୀତ ଭକ୍ତ ପଠାଉଥିବା ମାନସିକ ନଡ଼ିଆ ରଖିବା ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ ସହ ପ୍ରୋସେସିଂ ଏରିଆ ରଖାଯିବ । ପୂର୍ବରୁ ହୋଇଥିବା ସର୍ଭେ ଅନୁସାରେ ମନ୍ଦିର ପାଚେରିରୁ ୮୦ ମିଟର ବ୍ୟବଧାନରେ ଚାରିପାଖ ଫାଙ୍କା କରାଯିବ । ନିକଟରେ ବାଇପାସ୍‌ ଥିବା ଯୋଗୁଁ ପର୍ବପର୍ବାଣୀରେ ମନ୍ଦିର ନିକଟରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ପଦକ୍ଷେପ ନିଆଯିବ । ଏହି ସମସ୍ତ କାର୍ଯ୍ୟ ଓଡ଼ିଶା ଟୁରିଜିମ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ (ଓଟିଡିସି) ତତ୍ତ୍ୱାବଧାନରେ ହେବ ବୋଲି ସୂଚନା ମିଳିଛି ।

ଏହାବାଦ୍‌ କେନ୍ଦୁଝର ହରିଚନ୍ଦନପୁର ଆନନ୍ଦପୁର ରାସ୍ତାକୁ ବାଇପାସ୍‌ କରାଯିବା ସହିତ ମନ୍ଦିର ପାଚେରିରୁ ୮୦ ମିଟର ଦୂରରେ ଥିବା ଦୋକାନ, ପଞ୍ଚାୟତ ଦୋକାନ ଗୃହ, ବିଦ୍ୟାଳୟ, ପଶୁ ଡାକ୍ତରଖାନା, ଶ୍ରୀରାମ ମାର୍କେଟ୍‌ କମ୍ପେ୍ଲକ୍ସକୁ ଉଚ୍ଛେଦ କରାଯିବ । ମନ୍ଦିର ଚାରିପାଖ ବିକଶିତ କରିବା ପାଇଁ ପୂର୍ବ ନକ୍ସାରେ ଯୋଜନା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମିଳିଥିବା ଏହି ସବୁ କାର୍ଯ୍ୟ କରାଯିବ ନାହିଁ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ କି, ରାଜ୍ୟବ୍ୟାପୀ ଏବେ ପୁରୀରେ ଶ୍ରୀକ୍ଷେତ୍ର, ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜିଉଙ୍କ ମନ୍ଦିର, ବ୍ରହ୍ମପୁରରେ ତାରାତାରିଣୀ ମନ୍ଦିର, କଣ୍ଟିଲୋରେ ନୀଳମାଧବ ମନ୍ଦିରର ନବୀକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଚାଲୁ ରଖିଛନ୍ତି । ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

nis-ad
Leave A Reply

Your email address will not be published.