କଂଗ୍ରେସର ଟାସ୍କ ଫୋର୍ସ-୨୦୨୪ରେ ପ୍ରିୟଙ୍କା

ନୂଆଦିଲ୍ଲୀ: ଚାରିଆଡୁ ପରାଜୟ ପରେ ଏବେ ଅଣ୍ଟା ଭିଡିଛି ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନରେ କମ୍‌ବ୍ୟାକ୍‌ କରିବା ପାଇଁ ଏବେଠୁ କସରତ ଆରମ୍ଭ କରିଦେଇଛି କଂଗ୍ରେସ। ଗଠନ କରିଛି ଦଳର ରାଜନୈତିକ ବ୍ୟାପାର କମିଟି ଗ୍ରୁପ ଏବଂ ଟାସ୍କ ଫୋର୍ସ-୨୦୨୪।
ଦଳର ନେତୃତ୍ୱ ପରିବର୍ତ୍ତନ ଦାବି ଭିତରେ ନୂଆ ଘୋଷଣା କରିଛି କଂଗ୍ରେସ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଗଠନ କରିଛି ଟାସ୍କ ଫୋର୍ସ। ଯେଉଁଥିରେ ସଦସ୍ୟ ଭାବେ ଏଣ୍ଟ୍ରି ମାରିଛନ୍ତି ପ୍ରିୟଙ୍କା ଗାନ୍ଧି। ଭାରତ ଯୋଡ ଯାତ୍ରାରେ ଦିଗ୍‌ବିଜୟ ସିଂହ ଓ ସଚିନ ପାଇଲଟ୍‌ଙ୍କୁ ମଧ୍ୟ ସାମିଲ କରାଯାଇଛି।
କିଛି ଦିନ ତଳେ ଉଦୟପୁରରେ ବସିଥିଲା କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର। ଯେଉଁଥିରେ ସାଙ୍ଗଠନିକ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ ଦଳର ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧି। ସେଠାରେ ହିଁ ଦଳର ରାଜନୈତିକ ବ୍ୟାପାର କମିଟି ଏବଂ ଟାସ୍କ ଫୋର୍ସ ଗଠନ ନେଇ ସୋନିଆ ଘୋଷଣା କରିଥିଲେ।
କଂଗ୍ରେସର ରାଜନୈତିକ ବ୍ୟାପାର ଗ୍ରୁପରେ ସାଂସଦ ରାହୁଲ ଗାନ୍ଧି, ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ଗୁଲାମ ନୱି ଆଜାଦ, ଅମ୍ବିକା ସୋନି, ଦିଗ୍‌ବିଜୟ ସିଂହ, ଆନନ୍ଦ ଶର୍ମା, କେ.ସି. ବେଣୁଗୋପାଲ ଏବଂ ଜିତେନ୍ଦ୍ର ସିଂହଙ୍କୁ ସାମିଲ କରାଯାଇଛି। ସେହିପରି ହାଇକମାଣ୍ଡ ଗଠନ କରିଥିବା ଟାସ୍କ ଫୋର୍ସ ୨୦୨୪ ଟିମ୍‌ରେ ବରିଷ୍ଠ ନେତା ପି.ଚିଦାମ୍ବରମ୍‌, ମୁକୁଲ ୱାସ୍ନିକ, ଜୟରାମ ରମେଶ, କେ.ସି ବେଣୁଗୋପାଲ, ଅଜୟ ମାକନ, ପ୍ରିୟଙ୍କା ଗାନ୍ଧି, ରଣଦୀପ ସୂର୍ଯେୱାଲା, ସୁନୀଲ କାନୁଗୋଲୁ ପ୍ରମୁଖଙ୍କୁ ସ୍ଥାନ ମିଳିଛି।
ଅନ୍ୟପଟେ ଭାରତ ଯୋଡ ଯାତ୍ରା ପାଇଁ ତିଆରି କରାଯାଇଥିବା ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପରେ ଦିଗ୍‌ ବିଜୟ ସିଂହ, ସଚିନ ପାଇଲଟ, ଶଶି ଥରୁର, ରଂବିତ ସିଂହ ବିଟ୍ଟୁ, କେ ଜେ ଜର୍ଜ, ଜ୍ୟୋତି ମଣି, ପ୍ରଦ୍ୟୁତ ବୋରଦୋଳଇ, ଜିତୁ ପଟୱାରୀ ପ୍ରମୁଖ ନେତା ସାମିଲ ଅଛନ୍ତି।
ଟାସ୍କ ଫୋର୍ସର ପ୍ରତ୍ୟେକ ସଦସ୍ୟଙ୍କୁ ସଂଗଠନ, ଯୋଗାଯୋଗ ଏବଂ ଗଣମାଧ୍ୟମ, ପ୍ରସାରଣ, ଅର୍ଥ ଏବଂ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟ ଦିଆଯିବ ଏହି ସଦସ୍ୟମାନଙ୍କର ନିଜସ୍ୱ ଦଳ ରହିବ। ଏହି ଟାସ୍କ ଫୋର୍ସ ଉଦୟପୁର ନବ ସଙ୍କଳ୍ପ ଘୋଷଣା ଏବଂ ୬ ଜଣିଆ ଗୋଷ୍ଠୀର ରିପୋର୍ଟ ଆଧାରରେ କାର୍ଯ୍ୟ କରିବ।

nis-ad
Leave A Reply

Your email address will not be published.