କାର୍ଯ୍ୟକ୍ଷମ ହେବ ୧.୩୫ ଲକ୍ଷ ଏଲ୍‌ଆଇ ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ପାଖାପାଖି ୧ ଲକ୍ଷ ୩୫ ହଜାର ଉଠା ଜଳସେଚନ ପ୍ରକଳ୍ପ । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେଆହୁରି ଅଧିକ ୧୩.୩୨ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ସେଥିମଧ୍ୟରୁ ୩୨ ହଜାର ୭୮୦ଟି କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ ବା ସିଏଲ୍‌ଆଇପି ପ୍ରତିଷ୍ଠା କରାଯିବ ।

ଏହାସହିତ ଲକ୍ଷାଧିକ ଗଭୀର ନଳକୂପ ପ୍ରତିଷ୍ଠା ହେବାର ଯୋଜନା ରହିଛି । ଏ ବାବଦରେ ୪୧୯୮.୧୬ କୋଟି ଖର୍ଚ୍ଚ ହେବ । ସେହିପରି ରାଜ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବାଧିକ ୧୫ ହଜାର ୮୫୪ଟି ଜଳସେଚନ ପ୍ରକଳ୍ପ କାମ ସରିଛି । ସେଥିମଧ୍ୟରୁ ୧୫୧୮ଟି କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ, ୧୪ ହଜାର ୫୪ଟି ଗଭୀର ନଳକୂପ ପ୍ରକଳ୍ପ, ୨୯୨ଟି ସାଲୋ ନଳକୂପ କାମ ସରିଛି । ଫଳରେ ୨୦୨୨-୨୩ ଆର୍ଥିକ ବର୍ଷରୁ ୧.୦୭ ଲକ୍ଷ ହେକ୍ଟର ଜଳ ସେଚିତ ହୋଇପାରିବ ବୋଲି ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଯାହା ପୂର୍ବ ବର୍ଷ ତୁଳନାରେ ସର୍ବାଧିକ ବୋଲି ସେ କହିଛନ୍ତି । ୯୪୨ଟି ଅକାମୀ ହୋଇଥିବା ଜଳସେଚନ ପ୍ରକଳ୍ପ ପୁଣି କାର୍ଯ୍ୟକ୍ଷମ ହୋଇପାରିଛି । ସର୍ବାଧିକ ୨୮୬୩ଟି କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ ଓ ୩୨ ହଜାର ୧୫୨ଟି ଗଭୀର ନଳକୂପ ପ୍ରକଳ୍ପର ଟେଣ୍ଡର୍‌ ସରିଛି । ୨୦୨୫-୨୬ ସୁଦ୍ଧା ୧୨ ହଜାର ୫ ଶହଟି ସୌର ପରିଚାଳିତ ଗଭୀର ନଳ କୂପ ହେବ । ଏ ବାବଦରେ ୪୯୨.୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଗତ ୨୯ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜୁ କୃଷକ ବିକାଶ ଯୋଜନା-ଗଭୀର ନଳକୂଳ ସେଚ କାର୍ଯ୍ୟକ୍ରମ ସମୀକ୍ଷା ବୈଠକରେସୂଚନା ଦିଆଯାଇଛି ।

ଅପରପକ୍ଷେ ଜଳସେଚନ ପ୍ରକଳ୍ପଗୁଡିକର ଛୋଟ ଛୋଟ ଅସୁବିଧାଗୁଡିକର ମରାମତି ପାଇଁ ଏଣିକି କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେ ବାବଦରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଓ ପାଣି ପଞ୍ଚାୟତ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ପ୍ରଦୀପ ଜେନା, କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.