ଥମାସ୍‌ କପ୍‌ରେ ପ୍ରଥମ ବିଜୟ: ଇତିହାସ ରଚିଲା ଭାରତ, ୧୪ ଥର ବିଜେତା ଇଣ୍ଡୋନେସିଆକୁ ହରାଇଲା

ବ୍ୟାଙ୍କକ୍‌ : ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ଥମାସ୍ କପ୍‌ ପୁରୁଷ ବର୍ଗ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଫାଇନାଲ୍‌କୁ ଉଠିଥିବା ଭାରତୀୟ ଦଳ ବିଜେତା ଟ୍ରଫି ସହ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛି। ଫାଇନାଲ୍‌ରେ ଗତ ଥରର ଚାମ୍ପିଅନ୍ ତଥା ୧୪ ଥର ଟ୍ରଫି ବିଜେତା ଇଣ୍ଡୋନେସିଆକୁ ଭାରତୀୟ ଦଳ ସିଧାସଳଖ ୩-୦ରେ ପରାସ୍ତ କରି ନୂଆ ଶିଖର ଛୁଇଁଛି। ଏହି ବିରଳ ସଫଳତା ଲାଗି ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ଭାରତୀୟ ଦଳ ଲାଗି ସ୍ବତନ୍ତ୍ର ରୂପେ ଏକ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।
ଦୀର୍ଘ ୪୩ ବର୍ଷ ପରେ ସେମିଫାଇନାଲ୍‌ ଖେଳିଥିବା ଭାରତୀୟ ଦଳ ଫାଇନାଲ୍‌କୁ ଉଠି ନୂଆ ଫର୍ଦ ଯୋଡ଼ିଥିଲା। ରବିବାର ଦିନ ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍, କିଦାମ୍ବି ଶ୍ରୀକାନ୍ତଙ୍କ ସହ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଚମକପ୍ରଦ ବିଜୟ ହିଁ ଭାରତକୁ ଏହି ଅପ୍ରତ୍ୟାଶିତ ବିଜୟ ଦେଇଛି। ଭାରତୀୟ କ୍ରୀଡ଼ାପ୍ରେମୀମା‌ନେ ଏହି ବିଜୟକୁ ୧୯୮୩ କ୍ରିକେଟ୍ ବିଶ୍ବକପ୍‌ ବିଜୟ, ୨୦୦୮ ବେଜିଂ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରାଙ୍କ ସ୍ବର୍ଣ୍ଣ ପଦକ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସର ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣିମ ଜାଭଲିନ୍‌ ସଫଳତା ସହ ତୁଳନା କରିଛନ୍ତି। ଥମାସ କପ୍‌ର ୭୩ ବର୍ଷ ଇତିହାସରେ ଭାରତ ମାତ୍ର ଷଷ୍ଠ ଦେଶ ଭାବେ ବିଜେତା ହୋଇଛି।
ଭାରତୀୟ ମହିଳା ଦଳ ଉବେର କପ୍‌ରେ ନିରାଶ କରିବା ପରେ ପୁରୁଷ ଦଳ କିନ୍ତୁ ରବିବାର ସୁବର୍ଣ୍ଣ ଅଧ୍ୟାୟରେ ପରିଣତ କରିଥିଲେ। ଫାଇନାଲ୍ ମ୍ୟାଚ୍‌ର ପ୍ରଥମ ଏକକରେ ବିଶ୍ବର ୯ ନମ୍ବର ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍‌ ପ୍ରଥମ ଗେମ୍‌ ହାରିଯାଇଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ୮-୨୧, ୨୧-୧୭, ୨୧-୧୬ରେ ବିଶ୍ବର ୫ ନମ୍ବର ଆଣ୍ଟୋନି ଜିନଟିଙ୍ଗଙ୍କୁ ପରାସ୍ତ କରିଥିଲେ। ଲକ୍ଷ୍ୟ ନିଜକୁ ଲକ୍ଷ୍ୟଚ୍ୟୁତ ନକରି ଦକ୍ଷତା ଓ ଆଚରଣର ଶାଣିତ ପ୍ରଦର୍ଶନ କରି ବିଜୟ ଛଡ଼ାଇ ଆଣିଥିଲେ। ଏହା ପରେ ଭାରତର ଶ୍ରେଷ୍ଠ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ସମାନ ଢଙ୍ଗରେ ପ୍ରଥମ ଗେମ୍‌ ହାରିଥିଲେ ମଧ୍ୟ ସେଟ୍‌କୁ ୨-୧ରେ ଜିତି ନେଇଥିଲେ। ମହମ୍ମଦ ଏହସାନ-‌କେଭିନ୍‌ ସଞ୍ଜୟଙ୍କୁ ଏହି ଅଭିଜ୍ଞ ଭାରତୀୟ ଯୋଡ଼ି ୧୮-୨୧, ୨୩-୨୧, ୨୧-୧୯ରେ କଡ଼ା ସଂଘର୍ଷ କରି ହରାଇଥିଲେ। ଦ୍ବିତୀୟ ଏକକରେ କିଦାମ୍ବି ଶ୍ରୀକାନ୍ତ ୪୮ ମିନିଟ୍‌ ଲଢ଼େଇ କରି ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଯୋନାଥନ କ୍ରିଷ୍ଟିଙ୍କୁ ୨୧-୧୫, ୨୩-୨୧ରେ ପରାସ୍ତ କରି ବ୍ୟାଙ୍କକ୍‌ ବ୍ୟାଡମିଣ୍ଟନ୍‌ କୋର୍ଟରେ ଭାରତୀୟ ଦଳକୁ ନାଚି ଉଠିବାର ସୁବର୍ଣ୍ଣ ସ‌ୁଯୋଗ ଦେଇଥିଲେ। ପ୍ରଥମ ଗେମ୍‌ ହାରିବାରୁ ରବିବାର ଅଭିଯାନ ଆରମ୍ଭ କରିଥିବା ଲକ୍ଷ୍ୟ ସେନ୍‌ ବିଜୟ ପରେ ନିଜକୁ ବିଶ୍ବାସ କରିପାରିନଥିଲେ। ଏହି ଐତିହାସିକ ମୁହୂର୍ତ ଆସିଯିବା ପରେ ରବିବାର ଅପରାହ୍ନଠାରୁ ଭାରତୀୟ କ୍ରୀଡ଼ାପ୍ରେମୀମାନେ ଆନନ୍ଦରେ ମସଗୁଲ ହୋଇଯାଇଛନ୍ତି।
ଥମାସ କପ୍‌ରେ ଇଣ୍ଡୋନେସିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ନକ୍ ଆଉଟ୍ ପର୍ଯ୍ୟାୟରେ ଚୀନ ଓ ଜାପାନକୁ ମାତ ଦେଇ ଫାଇନାଲ୍ ଆସିଥିଲା। ସେହିଭଳି ଆତ୍ମବିଶ୍ବାସରେ ଥିବା ଭାରତୀୟ ଦଳ ମାଲେସିଆ ଓ ‌ଡେନମାର୍କକୁ ପରାସ୍ତ କରି ପ୍ରଥମ ଥର ଫାଇନାଲ୍‌କୁ ଉଠିଥିଲା। ଭାରତ ଲିଗ୍ ପର୍ଯ୍ୟାୟରେ ଏକମାତ୍ର ପରାଜୟ ଚାଇନିଜ୍ ତାଇପେଠାରୁ ବରଣ କରିଥିଲା।

nis-ad
Leave A Reply

Your email address will not be published.