ବଜରଙ୍ଗ ଦଳର କ୍ୟାମ୍ପରେ ବନ୍ଧୁକ ଚାଳନାର ଟ୍ରେନିଂ !

ବେଙ୍ଗାଲୁରୁ: ବଜରଙ୍ଗ ଦଳର କ୍ୟାମ୍ପରେ ସଦସ୍ୟମାନଙ୍କୁ ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଛି। ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ସଂଗଠନ ପକ୍ଷରୁ ଏଥିରେ ତାଳି ପକାଇବାକୁ ଉଦ୍ୟମ କରାଯାଇଛି। ବଜରଙ୍ଗ ଦଳର ନେତା ରଘୁ ସକଲେଶପୁର କହିଛନ୍ତି ଯେ କର୍ଣ୍ଣାଟକାର କୋଡାଗୁ ଠାରେ ଅନୁଷ୍ଠିତ ଟ୍ରେନିଂ କ୍ୟାମ୍ପରେ କାର୍ଯ୍ୟକର୍ତ୍ତାଙ୍କ ମାନସିକ ଓ ଶାରୀରିକ ସାମର୍ଥକ୍ୟକୁ ଅଧିକ ସୁଦୃଢ଼ କରିବାକୁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ମେ’ ୫ରୁ ୧୧ ଯାଏ ପୋନ୍ନାମପେଟ ଠାରେ ଥିବା ଗୋଟିଏ ଘରୋଇ ସ୍କୁଲରେ ବଜରଙ୍ଗ ଦଳ ପକ୍ଷରୁ ସୌର୍ଯ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ୧୧୬ ଜଣ ସଦସ୍ୟ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନେ ଭୋର ୪.୪୫ରୁ ରାତି ୧୦.୩୦ ଯାଏ ନିରବଚ୍ଛିନ ଭାବେ ସବୁ ପ୍ରକାରର ତାଲିମ ନେଇଥିଲେ।
ମାନସିକ ଓ ଶାରୀରିକ ସ୍ଥିତିକୁ ମଜବୁତ କରିବା ପାଇଁ ସଦସ୍ୟମାନଙ୍କୁ ଏୟାର ଗନ୍‌ ଧରିବାର କଳା ସହ ତ୍ରିଶୁଳ ଦୀକ୍ଷା ଦିଆଯାଇଥିଲା। ତାଲିମ ପାଇଁ ଏୟାର ଗନ୍‌ ଓ ତ୍ରିଶୁଳର ବ୍ୟବହାର କୌଣସି ପ୍ରକାରର ଆର୍ମସ ଆକ୍ଟକୁ ଉଲ୍ଲଙ୍ଘନ କରୁ ନଥିବା ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି, “କାର୍ଯ୍ୟକର୍ତ୍ତାମାନଙ୍କୁ ୱେଟଲିଫ୍ଟି, ଲଙ୍ଗଜମ୍ପ, ମଙ୍କି ରୋପ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ତାଲିମ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନେ କେମିତି ସାହାଯ୍ୟ କରିବେ, ତାହା ହିଁ ତାଲିମର ମୂଳ ଉଦ୍ଦେଶ୍ୟ ରହିଥିଲା। ଆମେ ବ୍ୟବହାର କରୁଥିବା ଏୟାର ଗନ୍‌ ଆର୍ମସ ଆକ୍ଟ ଅଧୀନରେ ଆସୁନି।”
ସୂଚନାଯୋଗ୍ୟ, ବଜରଙ୍ଗ ଦଳର କ୍ୟାମ୍ପରେ ବନ୍ଧୁକ ସହ ତାଲିମ ଦିଆଯାଉଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିଲା। ବଜରଙ୍ଗ ଦଳ ଯୁବ ସମାଜକୁ ଧର୍ମ ନାଁରେ ହିଂସାର ରାସ୍ତା ଆପଣାଇବାକୁ ଏପରି ବନ୍ଧୁକ ଚାଳନା କରିବାକୁ ଟ୍ରେନିଂ ଦେଉଥିବା ଅନେକ ଲୋକ ମତ ରଖିଥିଲେ।

nis-ad
Leave A Reply

Your email address will not be published.