ନାଟୋରେ ସାମିଲ ହେବାକୁ ଆବେଦନ କରିବ ଫିନଲ୍ୟାଣ୍ଡ, ରୁଷ ଅସନ୍ତୁଷ୍ଟ

କିଭ୍‌: ନର୍ଥ ଆଣ୍ଟଲାଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ରେ ସାମିଲ ହେବା ପାଇଁ ଫିନଲ୍ୟାଣ୍ତ ଖୁବଶୀଘ୍ର ଆବେଦନ କରିବ। ସେହିପରି ସ୍ୱିଡେନ ମଧ୍ୟ କିଛି ଦିନ ମଧ୍ୟରେ ଏନେଇ ପ୍ରକ୍ରିୟା ଆରମ୍ଭ କରିବ। ୟୁକ୍ରେନ ପୂର୍ବରୁ ନାଟୋରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ରୁଷ ସେନା କିଭ୍ ଉପରେ ଆକ୍ରମଣ କରି ଚାଲିଛି।
ଏବେ ଫିନଲ୍ୟାଣ୍ଡର ଏପରି ଘୋଷଣା ରୁଷର ଚିନ୍ତାକୁ ବଢ଼ାଇ ଦେଇଛି। ଏଥିପାଇଁ ରୁଷ ପକ୍ଷରୁ ଫିନଲ୍ୟାଣ୍ଡକୁ ଧମକ ଦିଆଯାଇଛି। ଫିନଲ୍ୟାଣ୍ଡ ନାଟୋରୁ ଦୂରେଇ ରହୁ ନଚେତ ଏହାପର ପରିଣାମ ସ୍ୱରୂପ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରେମେଲିନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ ନୋରଡିକ ଦେଶଗୁଡ଼ିକ ନାଟୋ ସଦସ୍ୟତା ହାସଲ କରିବା ପାଇଁ ଆବେଦନ କରିବାର ଅଧିକାର ରଖିଛନ୍ତି। ନିଜ ଦେଶର ସୁରକ୍ଷା ପାଇଁ ସମସ୍ତେ ଅଧିକାର ପାଇଛନ୍ତି। ରୁଷ ନିଜେ ହିଁ ଏସବୁ କରିବା ପାଇଁ ବାଧ୍ୟ କରିଛି। ରୁଷ ପ୍ରଥମେ ନିଜକୁ ଆଇନାରେ ଦେଖୁ ବୋଲି ଫିନଲ୍ୟାଣ୍ଡର ରାଷ୍ଟ୍ରପତି ସାଉଲି ନିନିଷ୍ଟୋ କହିଛନ୍ତି।
ଫିନଲ୍ୟାଣ୍ଡ ନେତୃବୃନ୍ଦ ନାଟୋ ସଦସ୍ୟତା ପାଇଁ ଆବେଦନ କରିବାକୁ ଘୋଷଣା କରିଥିଲେ ମଧ୍ୟ ଦେଶର ସଂସଦ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏହି ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟ ମାସେ ସମୟ ଲାଗିବ। ସେହିପରି ସ୍ୱିଡେନ ମଧ୍ୟ ନିଜର ସୁରକ୍ଷା ପାଇଁ ନାଟୋରେ ନିଜକୁ ସାମିଲ କରିବ।
ଯଦି ଏପରି ହୁଏ, ତା’ହେଲେ ୟୁରୋପର ସୁରକ୍ଷା ଚିତ୍ରରେ ଅନେକ ପରିବର୍ତ୍ତନ ହେବ। ୨୦୦ରୁ ଅଧିକ ବର୍ଷ ହେଲାଣି ସ୍ୱିଡେନ କୌଣସି ପ୍ରକାରର ସାମରିକ ମେଣ୍ଟରେ ନିଜକୁ ସାମିଲ କରୁ ନଥିଲା। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ସଂଘ ନିକଟରୁ ହାରିବା ପରେ ଫିନଲ୍ୟାଣ୍ଡ ସବୁବେଳେ ନିରପେକ୍ଷ ନୀତି ଅବଲମ୍ବନ କରି ଚାଲିଥିଲା।
ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାରୁ ଉଭୟ ଦେଶର ଲୋକମାନେ ଆତଙ୍କିତ ହୋଇଛନ୍ତି। ଏଥିପାଇଁ ସେମାନେ ନାଟୋରେ ସାମିଲ ହେବାକୁ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶର ନେତୃବୃନ୍ଦ ନାଟୋ ଆଡ଼କୁ ଢଳିଛନ୍ତି। ନାଟୋର ସେକେଟ୍ରି ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ମଧ୍ୟ ଫିନଲ୍ୟାଣ୍ତ ଓ ସ୍ୱିଡେନକୁ ମୁକ୍ତ ହସ୍ତରେ ସଂଗଠନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି।
ଏପରି ପଦକ୍ଷେପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ଫିନଲ୍ୟାଣ୍ଡ ଓ ସ୍ୱିଡେନ ନାଟୋରେ ସାମିଲ ହେଲେ ରୁଷର ସୁରକ୍ଷା ପ୍ରତି ବିପଦ ବଢ଼ିପାରେ। ନାଟୋ ସୁରକ୍ଷାକର୍ମୀମାନେ ରୁଷକୁ ଘେରା ବନ୍ଦୀ କରିବାରେ ସକ୍ଷମ ହେବ। ଉଭୟ ସ୍ୱିଡେନ ଓ ଫିନଲ୍ୟାଣ୍ଡ ରୁଷର ପଡ଼ୋଶୀ ଭାବେ ରହିଛନ୍ତି। ସମାନ ପଦକ୍ଷେପ ପାଇଁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରି ଏହାକୁ ଛିନଛତ୍ର କରିଛି।

nis-ad
Leave A Reply

Your email address will not be published.