ଖୁବ୍‍ଶୀଘ୍ର ରାଜଧାନୀ ରାଜରାସ୍ତାରେ ଗଡ଼ିବ ଇ-ବସ୍‍

ଭୁବନେଶ୍ୱର : ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’ ସେବାର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହି ସେବା ବର୍ତ୍ତମାନ କ୍ୟାପିଟାଲ ରିଜିଓନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ପକ୍ଷରୁ ଯୋଗାଇ ଦିଆଯାଉଛି।ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଆରାମଦାୟକ ହୋଇପାରିଛି।

ସହରୀ ଯାତାୟତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟସ୍ତରରେ ମଡେଲ୍‍ ହୋଇପାରିଛି। ବର୍ତ୍ତମାନ ୩୨ଟି ରୁଟ୍‍ରେ ଚଳାଚଳ କରୁଥିବା ୨୨୫ଟି ବସ୍‍ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ସବୁ ବସ୍‍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି।

ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏଥିରେ ଖୁବ୍‍ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍‍ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ସମୀକ୍ଷା ପରେ ଜଣାପଡ଼ିଛି ଯେ ୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି। ଇତିମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍‍, ଇ-ରିକ୍ସା ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଲୋକମାନେ ‘ମୋ ବସ’ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରୁଛନ୍ତି।। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଯାତ୍ରୀ ଅପେକ୍ଷା ପାଇଁ ୨୦୦ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡ଼କଣ, ପୋଖରିପୁଟ ଓ ନରାଜଠାରେ ଡିପୋ କମ୍‍ ଅଫିସ ନିର୍ମାଣ କାର୍ଯ୍ୟ ଚଲିଛି। କ୍ୟାପିଟାଲ ରିଜିଅନର ବିଭିନ୍ନ ଆଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍‍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି।

ଏହି ‘ମୋ ବସ୍‍’ ସେବା ୨୦୧୯ରୁ ୨୦୨୧ ମଧ୍ୟରେ ଜାତୀୟସ୍ତରରେ ଏବଂ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ୭ଟି ପୁରସ୍କାର ପାଇ ସାରିଛି। ଆଗାମୀ ଦିନରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଇ ପାରିବ ସେନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ରୁଟ୍‍ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.